ଭୁବନେଶ୍ୱର : ଚଳିତ ବର୍ଷ ସଅଳ ଆସୁଛି ମୌସୁମୀ। ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ ବୋଲି ଆଇଏମ୍ଡି ଆକଳନ କରିଛି। ଆସନ୍ତା ୪ରୁ ୫ ଦିନରେ କେରଳରେ ମୌସୁମୀ ପହଞ୍ଚିବା ପାଇଁ ପାଗ ଅନୁକୂଳ ହେଉଛି ବୋଲି ଆଇଏମ୍ଡି କହିଛି। ଯଦି ଏହି ଆକଳନ ସତ ହୁଏ, ତେବେ ୨୦୦୯ ମସିହା ପରେ ଏହା ମୌସୁମୀର ଆଉଥରେ ଶୀଘ୍ର ପ୍ରବେଶ କରିଛି ବୋଲି ରେକର୍ଡ ହେବ। ଏହା ପୂର୍ବରୁ ୨୦୦୯ ମେ’ ୨୩ରେ ମୌସୁମୀ କେରଳ ଛୁଇଁଥିଲା। ତେବେ କେରଳରେ ମୌସୁମୀ ଶୀଘ୍ର ଛୁଇଁବ ବୋଲି ଓଡ଼ିଶାକୁ ବି ମୌସୁମୀ ସଅଳ ଆସିବ ତାହା ଭାବିବା ଭୁଲ୍ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି ଯେ କେରଳ ଛୁଇଁଲେ ବି ଓଡ଼ିଶାରେ ଛୁଇଁବାକୁ ବିଳମ୍ବ ହେବ । ରାଜ୍ୟରେ ଗତ କିଛି ଦିନ ହେବ ଜାରି ରହିଛି କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ବର୍ଷା ଓ ପବନ । ଏହି ସମୟରେ ତାପମାତ୍ରାରେ ହ୍ରାସ ଥିବାବେଳେ କିନ୍ତୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଯାହାକୁ ନେଇ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଲୋକେ । ତେବେ ଆସନ୍ତା ୩ ଦିନ ଅର୍ଥାତ୍ ୨୩ ତାରିଖ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଆଜି ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଛି । ଏନେଇ ୧୩ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୌସୁମୀ ପହଞ୍ଚିବାକୁ ଅନୁକୂଳ ହେଉଛି ପାଗ ।
ଏହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଉଷ୍ଣ ଆର୍ଦ୍ରତା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ । କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବ ।