ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସର୍ବଦଳୀୟ ବୈଠକ ଡାକିଥିଲେ । ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଶ୍ରୀ ଧଳ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିବା ସହ ଆଦର୍ଶ ଆଚରଣ ବିଧିର କଡ଼ାକଡ଼ି ଅନୁପାଳନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ଯେହେତୁ ଆଜିଠୁ ବିଧିବଦ୍ଧ ଭାବରେ ରାଜ୍ୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ନର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, ସେଥି ପାଇଁ ଆଜିର ଦିନକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ରୂପେ ଅଭିହିତ କରିଥିଲେ ।
ଇଭିଏମ୍ ଓ ଭିଭିପାଟ୍ର ସୁରକ୍ଷା, ର୍ୟାଣ୍ଡମାଇଜେସନ୍ ଓ କମିସନିଂ ବିଷୟରେ ଶ୍ରୀ ଧଳ ଉପସ୍ଥିତ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ରାଜନୈତିକ ଦଳମାନେ ‘ସୁବିଧା’ ଆପ୍ରେ ଅନ୍ଲାଇନ୍ରେ ସବୁ ଅନୁମତି ପାଇଁ ଆବେଦନ କରିବାକୁ ସେ ଅନୁରୋଧ କରିଥିଲେ । ପ୍ରଚାର ସମୟରେ ବ୍ୟକ୍ତିଗତ ଆକ୍ଷେପରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ । ଏହାପରେ ରାଜନୈତିକ ଦଳର ପ୍ରତିନିଧିମାନେ ସେମାନଙ୍କର ବିଭିନ୍ନ ପ୍ରସଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ, ଯାହା ଉପରେ ସକରାତ୍ମକ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମିହିର ମହାନ୍ତି, ଶ୍ରୀ ସବ୍ୟସାଚୀ ହୋତା ଅଂଶଗ୍ରହଣ କରିଥିଲେ । ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମଗ୍ରିକ ନିର୍ବାଚନ ପ୍ରସ୍ତୁତି, ପ୍ରଚେଷ୍ଟା ଓ ପ୍ରତିବଦ୍ଧତାକୁ ଉଚ୍ଛ୍ୱସିତ ପ୍ରଶଂସା କରିବା ସହ ନିଜ ନିଜର ଆସ୍ଥା ପ୍ରକଟ କରିଥିଲେ ।
ଅଧିକ ପଢ଼ନ୍ତୁ : ବଲାଙ୍ଗିର ଶିକାଛିଡ଼ା ଗ୍ରାମରେ ଶ୍ରୀରାମ ମନ୍ଦିର ରତ୍ନମୁଦ ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ