ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଶିକାଛିଡ଼ା ଗ୍ରାମରେ ଗତ ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ଶ୍ରୀରାମ ମନ୍ଦିର ରତ୍ନମୁଦ ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୨ ତାରିଖରେ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ୧୩ ତାରିଖ ପୂର୍ବାହ୍ନରେ କଳସ ଯାତ୍ରାର ଆୟୋଜନ ହୋଇଥିଲା । ୧୪ ତାରିଖରେ ଯଜ୍ଞ ଆରମ୍ଭ ହୋଇ ୧୭ ତାରିଖରେ ମନ୍ଦିରରେ ଧ୍ୱଜା ଓ କଳସ ସ୍ଥାପନ କରାଯିବା ସହ ଠାକୁରଙ୍କ ମନ୍ଦିର ପ୍ରବେଶ, ନାମ ସମର୍ପଣ କାର୍ଯ୍ୟକ୍ରମ ରହିଥିଲା । ସାତ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଶିକାଛିଡ଼ାର ଗ୍ରାମବାସୀଙ୍କ ସହ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ବିଶେଷ ସମାଗମ ଦେଖିବାକୁ ମିଳିଥିଲା । ପ୍ରତ୍ୟହ ରାମାୟଣ ଚାଲିଥିବାବେଳେ ପ୍ରତ୍ୟେକ ସଂଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କଂସ ଦରବାର ଦର୍ଶକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ।