ନୟାଗଡ଼: ପିକନିକ୍ ପାଇଁ ସମସ୍ତେ ହସଖୁସିରେ ଘରୁ ବାହାରିଥିଲେ । ହେଲେ ବାଟରେ ଲୁଚି ବସିଥିଲା ଯମ । ଅଧା ରହିଗଲା କାଳୀଜାଇ ଦର୍ଶନ । ରାତି ଅଧରେ ପୋଲ ଉପରୁ ବସ୍ ଖସି ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ର ରଣପୁର ଖଣ୍ଡିସି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ସୂଚନା ମୁତାବିକ୍, ବସରେ ପାଖାପାଖି ୪୦ ଜଣ ଯାତ୍ରୀ ରହିଥିଲେ । ନୟାଗଡ଼ରୁ ଇଣ୍ଡିଆନ ନାମକ ଯାତ୍ରୀବାହୀ ବସଟି ଯାତ୍ରୀଙ୍କୁ ନେଇ କାଳିଜାଇକୁ ପିକନିକ୍ ପାଇଁ ବାହାରିଥିଲା । ତେବେ ବାଟରେ ଗୋପାଳପୁର ନିକଟ ଖଣ୍ଡିସି ବ୍ରିଜ ନିକଟରେ ବସଟି ଭାରସାମ୍ୟ ହରାଇ ପୋଲର ବାଡାରେ ପିଟି ହୋଇଥିଲା । ଏହାପରେ ପୋଲଉପରୁ ୧୫ ଫୁଟ ତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ସେହିପରି ୧୯ରୁ ଅଧିକ ଲୋକେ ଆହତ ହୋଇଛନ୍ତି ।
ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାନ୍ଦପୁର ଓ ରଣପୁର ପୋଲିସ ପହଞ୍ଚି ଉଦ୍ଧାର କରିଥିଲେ । ରଣପୁର ଓ ଟାଙ୍ଗୀ ଦମକଳ ବାହିନୀର ମିଳିତ ଉଦ୍ୟମରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତ ଆହତଙ୍କୁ ରଣପୁର ଓ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।