ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗାଁ ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ୧୨ରୁ ଉର୍ଦ୍ଧ୍ଵ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ପ୍ରାୟ ୧୨ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସମ୍ପତ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର, ଧାନ, ଚାଉଳ, ଘର କରଣା ସାମଗ୍ରୀ, ଦରକାରୀ ଦସ୍ତାବିଜ ଜଳିପୋଡି ପାଉଁଶ ହୋଇଯାଇଛି।ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନା ଅନୁସାରେ, ହରିଜନ ସାହିର ହରି ନାଏକଙ୍କ ଘରେ କୌଣସି କାରଣରୁ ପ୍ରଥମେ ନିଆଁ ଲାଗିଥିଲା। ନିଆଁର ପରିମାଣ ଏତେ ଅଧିକା ଥିଲା ଯେ ନିଆଁ ଧୀରେ ଧୀରେ ହରି ନାଏକଙ୍କ ପଡୋଶୀ ହଟିଆ ନାଏକ, ବିଜୟ ନାଏକ,ରାଧୁ ଏବଂ ବୁନୁ ନାଏକଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। କ୍ଷଣକରେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା। କେହି କିଛି କରିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଧାନ, ଚାଉଳ, ଘର କରଣା ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଏହାପରେ ତୁରନ୍ତ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। ତେବେ ତୁରନ୍ତ ଅଗ୍ନି ବିପନ୍ନଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।