ମିଲେଟର ପ୍ରଶଂସା ଏବେ ସାରା ରାଜ୍ୟରେ କରାଯାଉଛି । ୨୦୨୩କୁ ମିଲେଟ୍ ଅନ୍ତର୍ଜାତୀୟ ବର୍ଷ ଭାବେ ପାଳନ କରାଯାଇଥିଲା । ଏହି ଖାଦ୍ୟ ସାମଗ୍ରୀର ଚାହିଦା ଏବେ ଦ୍ରୁତଗତିରେ ବୃଦ୍ଧି ପାଇଛି । ଚାହିଦା ବଢ଼ିବା ସହ ଏହାର ଦରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ରାଗି ସମେତ ଅନ୍ୟ କିଛି ବର୍ଗର ମିଲେଟ ଦର ୧୬.୬% ବଢ଼ିଛି । ଗତ ୬ ବର୍ଷରେ ଏହା ଦ୍ୱିତୀୟ ରେକର୍ଡ ବୃଦ୍ଧି। ଏହା ପୂର୍ବରୁ ଫେବ୍ରୁଆରୀରେ ଏହାର ଦର ୧୬.୭% ବୃଦ୍ଧି ହୋଇଥିଲା। ଏହି ଉତ୍ପାଦର ଅତ୍ୟଧିକ ଚାହିବା, ସରକାରୀ ପ୍ରୋତ୍ସାହନ ଏବଂ ସୋସିଆଲ ମିଡିଆରେ ଏହାର ଦ୍ରୁତ ସମର୍ଥନ ଯୋଗୁ ଉତ୍ପାଦର ଲୋକପ୍ରିୟତା ବଢୁଛି।
ତେବେ ଏହାର ଦର ବୃଦ୍ଧି ପଛରେ ପ୍ରମୁଖ କାରଣ ହେଉଛି ଉତ୍ପାଦନ ହ୍ରାସ । ୨୦୨୨-୨୩ ଅବଧୂରେ ରାଗି ଫସଲ ୧.୧୬ ନିୟୁତ ହେକ୍ଟରରେ ହୋଇଥିଲା। ୨୦୨୩- ୨୪ରେ ଏହା ୧.୦୪ ନିୟୁତ ହେକ୍ଟରକୁ କମିଛି। ସେହିଭଳି ୨୦୨୨-୨୩ରେ ୧.୬୯ ନିୟୁତ ଟନ୍ ଦେଶ ମଧ୍ୟରେ ଉତ୍ପାଦନ ହୋଇଥିବା ବେଳେ ୨୦୨୩-୨୪ ଅବଧିରେ ଏହା ୧.୩୯ ନିୟୁତ ଟନ୍କୁ ଖସିଛି। ସେହିଭଳି ଯଅ ଉତ୍ପାଦନ ୩.୮୧ ନିୟୁତ ଟନ୍ରୁ ୪.୦୩ ନିୟୁତ ଟନ୍କୁ ବଢ଼ିଛି। ଏହାର ଫସଲ ହୋଇଥିବା ଏରିଆ ୩.୫୩ ନିୟୁତ ହେକ୍ଟରରୁ ୩.୬୫ ନିୟୁତ ହେକ୍ଟରକୁ ବଢ଼ିଛି।
ଫେଡେରେସନ ଅଫ୍ ୱିଟ୍ସ ଆଣ୍ଡ୍ ନମକି ନ୍ ମାନୁଫାକ୍ଚର୍ସ (ଏଫ୍ଏସ୍ଏନ୍ ଏମ୍) ନିର୍ଦ୍ଦେଶକ ଫିରୋଜ ଏଚ୍ ନକ୍ବୀ କହିଛତି, ସ୍ନାକ୍ସ ଏବଂ ମିଠା ପ୍ରସ୍ତୁତିରେ ବାଜରାର ବ୍ୟବହାର ପୂର୍ବାପେକ୍ଷା ବଢ଼ିଛି। ଚାହିଦା ତୁଳନାରେ ଏବେ ବଜାରରେ କମ୍ ଉତ୍ପାଦ ମିଳୁଥିବାରୁ ଏହାର ଦର ଉପରମୁହାଁ ହେଉଛି। ନୂଆ ଷ୍ଟାର୍ଟଅପ୍ ବାଦ ଆଇଟିସି, ଟାଟା, ନେସ୍ଲେ ଭଳି ପ୍ରମୁଖ ବହୁ ଦେଶୀୟ କମ୍ପାନି ମଧ୍ୟ ଏହି କ୍ଷେତ୍ରରେ ପ୍ରବେଶ କରୁଛନ୍ତି।
ମିଲେଟ୍ ମଧ୍ୟରେ ବାଜରା, ଯଅ, ରାଗି, କଙ୍ଗନୀ, କୁଟକୀ, କୋଦି, ସମ୍ବା ଏବଂ ଚେନା ପ୍ରମୁଖ ସାମିଲ ରହିଛି। ଏହା ସ୍ବାସ୍ଥ୍ୟ ଲାଗି ବେଶ ଲାଭକାରୀ । ଭିନ୍ନ ଢ଼ଙ୍ଗରେ ଏହାର ବ୍ୟବହାର ହେଉଛି। ରୁଟି, ନୁଡଲ୍ସ, ବିସ୍କୁଟ, ଦୋଷା, ଏଣ୍ଡୁରି ଭଳି ଅନ୍ୟ ବର୍ଗରେ ଉତ୍ପାଦ ଏଥୁରୁ ପ୍ରସ୍ତୁତ ହୋଇଛି। ତେବେ ବର୍ତ୍ତମାନ ଗହମର ଦର କମିଛି। ନୂଆ ଗହମ ବଜାରକୁ ଆସିଛି। ୨ ମାସ ଆଗରୁ କ୍ରିଣ୍ଟାଲ ପିଛା ଗହମ ୨୮୦୦ ଟଙ୍କାରୁ ୨୯୦୦ ଟଙ୍କା ଥିଲା। ଏବେ ଏହା ୨୩୦୦ ଟଙ୍କାରୁ ୨୪୦୦ ଟଙ୍କାକୁ ହ୍ରାସ ହୋଇଛି।
ଅଧିକା ପଢନ୍ତୁ: ହନୁମାନ ସ୍ୱରୂପରେ ଦର୍ଶନ ଦେଲେ ବାବା ମହାକାଳ