ଭୁବନେଶ୍ୱର: ପ୍ରଥମେ ଧକ୍କା ମାରି ବିଦା କଲେ ଆଉ ଏବେ ଫେରି ଆସିବାକୁ କରୁଛନ୍ତି ଅପିଲ । ଆନ୍ତର୍ଜାତିକ ଚାପରେ ଚପିଗଲେ କି କିଟ କର୍ତ୍ତୃପକ୍ଷ । କ୍ୟାମ୍ପସରୁ ଜବରଦସ୍ତି ବସ୍ ଯୋଗେ ଆଣି ରେଳ ଷ୍ଟେସନରେ ଛାଡିଦେଇଥିଲେ । ବର୍ତମାନ ଏହି ଘଟଣାରେ ନେପାଳର ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିଥିବାର ନେଇ ସୂଚନା ମିଳିଛି । ଦିଲ୍ଲୀ ଦୂତାବାସରୁ ଦୁଇ ଜଣ ଅଫିସର ଏନେଇ ଯାଞ୍ଚ କରିବାକୁ ଆସୁଥିବାର ସୂଚନା ।
ରାଜଧାନୀରେ କିଟ୍ କଲେଜ କ୍ୟାମ୍ପସରେ ଜଣେ ବିଟେକ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଗତକାଲି ରାତି ଠାରୁ ଛାତ୍ର ଅଶାନ୍ତି ଦେଖା ଦେଇଛି । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଛାତ୍ରମାନେ କ୍ୟାମ୍ପସରେ ପ୍ରତିବାଦ ପ୍ରଦର୍ଶନ କରିବା ସହିତ ରାସ୍ତା ମଧ୍ୟ ଅବରୋଧ କରିଥିଲେ । ଯାହା ଫଳରେ କିଟ୍ କର୍ତ୍ତୃପକ୍ଷ ସାଇନେ ଡାଏ ଘୋଷଣା କରି ସମସ୍ତ ନେପାଳୀ ଆନ୍ତର୍ଜାତିକ ଛାତ୍ରମାନଙ୍କୁ କ୍ୟାମ୍ପସ ଖାଲି କରିବାକୁ ଏକ ନୋଟିସ ଜାରି କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କୁ କ୍ୟାମ୍ପସରୁ ବସ୍ ଯୋଗେ ଆଣି ଭୁବନେଶ୍ୱର ତଥା କଟକ ରେଳଷ୍ଟେସନରେ ଛାଡିଦେଇଥିଲେ । ଛାତ୍ରଛାତ୍ରୀ ମାନେ ବହୁ ସମୟ ଅପେକ୍ଷା କରିବା ପରେ ରିଜରଭେସନ ଟିକେଟ ନ ମିଳିବାରୁ ଭୁବନେଶ୍ୱର-ପାଟଣା ଟ୍ରେନରେ ଜେନେରାଲ ଶ୍ରେଣୀର ଟିକେଟ କାଟି ଯାତ୍ରା କରିଥିଲେ । ମାତ୍ର ବର୍ତ୍ତମାନ କିଟ୍ କର୍ତ୍ତୃପକ୍ଷ ସବୁ ଛାତ୍ର ଛାତ୍ରୀଙ୍କୁ ପୁଣି ଫେରି ଆସିବାକୁ ଅପିଲ କରିଛନ୍ତି ।
ସୂଚନା ଅନୁଯାୟୀ ଗତରାତିରେ ନେପାଳୀ ଛାତ୍ରୀଙ୍କ ମୃତଦେହ କ୍ୟାମ୍ପସ ହଷ୍ଟେଲରେ ମିଳିବା ପରେ ଉତ୍ୟକ୍ତ ଛାତ୍ର ମାନେ କ୍ୟାମ୍ପସରେ ପଶି ଭଙ୍ଗାରୁଜା କରିଥିଲେ । ରାତିସାରା କ୍ୟାମ୍ପସରେ ଉତ୍ତେଜନା ଦେଖା ଦେଇଥିଲା । ଅଭିଯୋଗ ପରେ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ତଦନ୍ତ ଚଳାଇଛି ଇନ୍ଫୋସିଟି ପୋଲିସ ।