ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ସ୍ଥିତି ଯେମିତି ଦିନକୁ ଦିନ ସାଙ୍ଘାତିକ ହେଉଛି ଅଂଶୁଘାତ ସ୍ଥିତି ମଧ୍ୟ ସେମିତି ସାଙ୍ଘାତିକ ହେଉଛି । ୨ ଦିନ ହେଲା ଉପକୂଳ ଓଡ଼ିଶାରେ ତାତି ସମାନ୍ୟ କମିଥିଲେ ହେଁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୨ ଦିନ ପୂର୍ବରୁ ମଧ୍ୟ ଉପକୂଳ ଓଡ଼ିଶାରେ ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା ବେଳେ ସୋମବାର ଠାରୁ ପାଗ ବଦଳି ଥିଲା ।
ସୂଚନା ଅନୁଯାୟୀ ଟାଣଖରା ଯୋଗୁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨୦ ଜଣ ଅଂଶୁଘାତ ଯୋଗୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ତେବେ ୩ଟି ଅଭିଯୋଗର ତଦନ୍ତ କରି ସେମାନଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ନିଶ୍ଚିତ କରିଛି। ଢେଙ୍କାନାଳ, ବାଲେଶ୍ୱର ଓ ମୟୂରଭଞ୍ଜରେ ୩ ଜଣ ଅଂଶୁଘାତରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ବାକି ୧୭ଟି ହୋଇଥିବା ଅଭିଯୋଗ ନେଇ ବର୍ତ୍ତମାନ ତଦନ୍ତ ଚାଲିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।