ନର୍ଭେରାମ କାରଖାନାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଢେଙ୍କାନାଳ ଗୁଣ୍ଡିଚାପଡା ସ୍ଥିତ ନର୍ଭେରାମ କାରଖାନାରେ ଗୁରୁବାର ଭୋରରୁ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ସୂଚନା ମୁତାବକ, ଜିଲ୍ଲାର ଗୁଣ୍ଡିଚାପଡା ସ୍ଥିତ ସଦର ଥାନା ନିକଟରେ ଥିବା ଏହି ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ କାରଖାନାରେ ଗୁରୁବାର ଭୋର ପ୍ରାୟ ୪ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଟର୍ବାଇନ ତଳେ ଥିବା ଡ୍ରାଇ ସେଲ ବ୍ୟାଟେରୀରୁ ପ୍ରଥମେ ନିଆଁ ଧରିଥିଲା । ଟର୍ବାଇନରେ ବ୍ୟବହୃତ ଡିଜେଲରୁ ଏହି ନିଆଁ ଭୟଙ୍କର ରୂପ ନେଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡିଛି । ଫଳରେ କାରଖାନାର ଟର୍ବାଇନ ଜଳିଯାଇଥିଲା । ଏନେଇ ଖବର ପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ଦମକଳ ବାହିନୀକୁ ପ୍ରାୟ ଏକ ଘଣ୍ଟାରୁ ଦେଢଘଣ୍ଟା ପାଖାପାଖି ସମୟ ଲାଗିଥିଲା ନିଆଁକୁ ଆୟତ୍ତ କରିବା ପାଇଁ । ତେବେ ଏହି ଅଗ୍ନିକାଣ୍ଡରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜଳି ପୋଡି ନଷ୍ଟ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ : ବିଦ୍ୟୁତ ସଟସର୍କିଟରେ ଜଳିଗଲା ପାନ ବରଜ