ଏକାମ୍ର କ୍ଷେତ୍ରର ଅଧିଷ୍ଠାତା ଲିଙ୍ଗରାଜ ମହାପ୍ରଭୁଙ୍କର ସମ୍ପନ୍ନ ହେଇଛି ରୁକୁଣା ରଥଯାତ୍ରା। ମହାଦେବ ରଥାରୁଢ଼ ହୋଇ ରାମେଶ୍ବର ମନ୍ଦିରକୁ ଯାତ୍ରା କରିଛନ୍ତି। ରାମେଶ୍ବର ମନ୍ଦିରରେ ସ୍ଵତନ୍ତ୍ର ନିତିକାନ୍ତି ମଧ୍ୟରେ ହୋମ, ଯଜ୍ଞ, ନାମ ସଂକୀର୍ତ୍ତନ ମହା ଆଡମ୍ବର ସହିତ ଚାଲିଛି। ସେପଟେ ମନ୍ଦିର ସମ୍ମୁଖରେ ବିଗତ ୪ଦିନ ଧରି ଏକାମ୍ର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହେଇଛି ଭଜନ ସମାରୋହ। ଯାହାକି ବେଶ ଧୁମଧାମରେ ପରିଚାଳିତ ହୋଇଛି।
ତେବେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଶୁକ୍ରବାର ସଂଧ୍ୟାରେ କଟକ କଳାବିକାଶ କେନ୍ଦ୍ରର କଳାକାର ମାନେ ପରିବେଷଣ କରିଛନ୍ତି। ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପ୍ରଭୂ ଶ୍ରୀରାମଙ୍କ ବନ୍ଦନା କରିବା ସହିତ ବିଭିନ୍ନ ନୃତ୍ୟ ସଂଗୀତରେ ମହାପ୍ରଭୁ ଲିଙ୍ଗରାଜଙ୍କ ଆରାଧନା କରିଛନ୍ତି। ତେବେ ମହାପ୍ରଭୁଙ୍କ ରୁକୁଣା ରଥକୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ ସେଠାରେ ଭିଡ ଜମାଇଛନ୍ତି। ଏପିରିକି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଲୋକଙ୍କୁ ବେଶ ଆକର୍ଷିତ କରୁଛି।