ନକଲି ଓଡ଼ିଆ ସ୍ୱାଭିମାନ ଓ ପାନୀୟ ଜଳ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ବିଜେପି ପକ୍ଷରୁ ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛି ସମ୍ବଲପୁର ଜିଲ୍ଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ପ୍ରମୋଦ ରଥ ପ୍ରଶ୍ନ କରିଛନ୍ତି,
୧. ଦୀର୍ଘ ୨୪ ବର୍ଷ ହେଲା ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରକାର ରାଜ୍ୟବାସୀଙ୍କ ପାଇଁ କ'ଣ କରିଛନ୍ତି ?
୨. ପୁରୁଣା ମଠ ମନ୍ଦିର ସବୁ ଭାଙ୍ଗି ୪୨ ଶହ କୋଟି ଖର୍ଚ୍ଚ କରି ୪ଟି ଶୌଚାଳୟ ତିଆରି କରିବାକୁ କ'ଣ ଓଡ଼ିଆ ସ୍ୱାଭିମାନ କୁହାଯାଏ କି ?
୩. ସମଲେଇ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରି ଅଣଓଡ଼ିଆ ଠିକାଦାର ଓ ଶ୍ରମିକଙ୍କୁ ନିୟୋଜିତ କରିବାକୁ ଓଡ଼ିଆ ସ୍ୱାଭିମାନ କୁହାଯାଏ କି ?
୪. ଓଡ଼ିଆ ମନ୍ତ୍ରୀ, ସାଂସଦ, ବିଧାୟକ ବାଉଁଶ ପୋତି, ଦରି ବିଛେଇ, ଲୋକ ବୋହି ଅଣଓଡ଼ିଆ ଗୁମାସ୍ତାଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଓଡ଼ିଆ ସ୍ୱାଭିମାନ କୁହାଯାଏ କି ?
ସେ ଆହୁରି କହିଛନ୍ତି, "ହୀରାକୁଦ ନଦୀବନ୍ଧର ୩ ଟି ମୂଳ ଉଦ୍ଦେଶ୍ୟ ହେଉଛି ଜଳ ସେଚନ, ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ ଉତ୍ପାଦନ । କିନ୍ତୁ ବିଜେଡି ସରକାର ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ଶାସନ ଗାଦିରେ ବସି ଜଳସେଚନର ଉନ୍ନତି ପାଇଁ କିଛି କଲେ ନା ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ କିଛି କଲେ । ବିଗତ ୧୦ ବର୍ଷରେ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କାରୁ ଅଧିକ ଅନୁଦାନ ଦେଇଛନ୍ତି । ହେଲେ ପ୍ରକୃତରେ ତୃଣମୂଳ ସ୍ତରରେ ତାହା ପହଞ୍ଚୁନି । ରାଜ୍ୟ ରେ ୫୦% ରୁ ଅଧିକ ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇ ପାରିନାହାନ୍ତି ରାଜ୍ୟ ସରକାର । ୨୦୧୪ ରେ ସମ୍ବଲପୁର ରେ ଜଣ୍ଡିସ ବ୍ୟାପିଥିବା ସମୟରେ ପୁରୁଣା ପାଇପ ଲାଇନ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ୧୬୦କୋଟି ଘୋଷଣା କରିଥିଲେ , ହେଲେ କାମ କେଉଁଠି ବି ହେଲା ଭଳି ଦୃଶ୍ୟମାନ ହେଇନାହିଁ । ଗତ ସପ୍ତାହରେ ପିଏଚଡି ପାଣିରେ ପୋକ ବାହାରିବା ଭଳି ଘଟଣା ଲୋକଙ୍କୁ ବିଚଳିତ କରିଥିଲା"ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ।
ଅଧିକ ପଢନ୍ତୁ : ବାୟୁସେନା ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ:1 ଯବାନ ସହିଦ