ଦିନକୁ ଦିନ ମହିଳାଙ୍କ ପ୍ରତି ବଢ଼ି ଚାଲିଛି ନିର୍ଯାତନା । ବାରମ୍ବାର ନିର୍ଯାତନା ଓ ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ । ଶିଶୁକନ୍ୟାଙ୍କୁ ମଧ୍ୟ ଦୁଷ୍କର୍ମ କରାଯଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଗତ ଫେବୃଆରୀ ମାସରେ କଟକ ପୋପରଡା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ପୀଡିତାଙ୍କ ବୟାନ ରେକର୍ଡ ଆଧାରରେ ତଦନ୍ତ କରିଥିଲା ପୋଲିସ । ତେବେ ଶିଶୁକନ୍ୟାକୁ ଦୁଷ୍କର୍ମ ଭଳି ଏକ ଲଜ୍ଜାଜନକ ଘଟଣା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳରେ ଘଟିଛି । ୬ ବର୍ଷର ଶିଶୁ କନ୍ୟାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ଶିଶୁଟିର ଅବସ୍ଥା ସଂକଟାପନ୍ନ ଥିବାରୁ ଚିକିତ୍ସା ନିମନ୍ତେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ପରିବାର ସହିତ ଶିଶୁ କନ୍ୟାଟି ମହୁଲପାଲି ଥାନା ଅଞ୍ଚଳକୁ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୁନ୍ଦରଗଡ଼ରୁ ଆସିଥିଲେ । ଶନିବାର ରାତିରେ ବାହାଘର ଚାଲିଥିବା ସମୟରେ ଅଭିଯୁକ୍ତ ଶିଶୁକନ୍ୟାକୁ ଏକୁଟିଆ ପାଇ ଏକ ନିଛାଟିଆ ସ୍ଥାନକୁ ନେଇଯାଇ ଦୁଷ୍କର୍ମ କରିଥିଲା । ପରିବାର ଲୋକେ ଶିଶୁକନ୍ୟାକୁ ନପାଇ ବହୁ ଖୋଜାଖୋଜି କରିବା ପରେ ଏକ ପରିତ୍ୟକ୍ତ ସ୍ଥାନରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲେ ଆଉ କୁଚିଣ୍ଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରା ଯାଇଥିଲା । ବୁର୍ଲାରେ ବର୍ତ୍ତମାନ ଶିଶୁଟିର ଚିକିତ୍ସା ଜାରି ରହିଛି । ତେବେ ପରିବାର ଲୋକେ ଅଭିଯୁକ୍ତ ନାମରେ ଥାନାରେ ଅଭିଯୋଗ କରିବା ପରେ ମହୁଲପାଲି ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆକୁ ଏନକାଉଣ୍ଟର