ଭୁବନେଶ୍ୱର : ଦେଶ ଏବେ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ରାଷ୍ଟ୍ର ଭକ୍ତି, ଜାତୀୟତାବାଦ, ଦେଶଭକ୍ତି ଓ ଦେଶରେ ଏକତା ଅଖଣ୍ଡତା ରକ୍ଷା କରିବା ପାଇଁ ଏବଂ ଦେଶକୁ ଶକ୍ତିଶାଳୀ କରି ଦେଶବାସୀଙ୍କୁ ଦଳ, ମତ, ଜାତି ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ୍ କରିବା ନିହାତି ଆବଶ୍ୟକ । ତ୍ରିରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଲୋକଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ବିଜେପି ପକ୍ଷରୁ ଅଗଷ୍ଟ ୧୧ ରୁ ୧୪ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ପ୍ରଥମେ କଟକସ୍ଥିତ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମପୀଠରେ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ସେଠାରୁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ତ୍ରିରଙ୍ଗା ପଦଯାତ୍ରା କରି ତେଲେଙ୍ଗା ବଜାରସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଜେପି କଟକ ଜିଲ୍ଲା ପ୍ରଭାରୀ ଡ. ଯତିନ ମହାନ୍ତି ଯୋଗ ଦେଇଥିଲେ ।
ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ । ଜାତୀୟ ପତାକାକୁ ସମ୍ମାନର ସହିତ ଉଚ୍ଚ ସ୍ଥାନରେ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ତ୍ରିରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଦେଶପ୍ରେମ ଜାଗ୍ରତ କରିବା ବିଜେପି ଯୁବମୋର୍ଚ୍ଚାର ଉଦ୍ଦେଶ୍ୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହାପରେ କଟକର ଚାନ୍ଦିନୀ ଚୌକସ୍ଥିତ ଭେଲଭ୍ୟୁ ଛକରୁ ଭୁବନେଶ୍ୱରର କଳ୍ପନାଛକ ପର୍ଯ୍ୟନ୍ତ ବିଶାଳ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରାର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କଳ୍ପନା ଛକଠାରେ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ କନ୍ଧମାଳ ଏମ୍ପି ସୁକାନ୍ତ ପାଣିଗ୍ରାହୀ ମାଲ୍ୟାର୍ପଣ କରି ଶୋଭାଯାତ୍ରା ସମାପନ କରିଥିଲେ । ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ହାତରେ ତ୍ରିରଙ୍ଗା ପତାକା ଧରି ଏହି ଯାତ୍ରାରେ ସାମିଲ ହୋଇଥିଲେ । କେତେଜଣ ଯୁବ କର୍ମକର୍ତ୍ତା ଯବାନ ବେଶ ଓ ଭାରତମାତା ବେଶରେ ନୃତ୍ୟ ପରିବେଷଣ କରି ଜନସାଧାରଣଙ୍କ ମଧ୍ୟରେ ରାଷ୍ଟ୍ରବାଦ ଜାଗ୍ରତ କରିଥିଲେ । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଯୁବମୋର୍ଚ୍ଚା ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି ।
ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସଂଗ୍ରାମ ପାତ୍ର, ପ୍ରକାଶ ମଲ୍ଲିକ, ରାଜ୍ୟ ସମ୍ପାଦକ ଗଗନ ଓଝା, ଜୀବନ ରାଉତ, ସୁବତ୍ର ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ଚଣ୍ଡୀ ପ୍ରସାଦ ବେହେରା, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶୋଭନ ଆଚାର୍ଯ୍ୟ ଓ କଟକ ଜିଲ୍ଲା ସଭାପତି ନଳିନୀକାନ୍ତ ରାୟ ପ୍ରମୁଖ ପରିଚାଳନା କରିଥିଲେ ।