ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର କୁସ୍ତିର ଅନ୍ତିମ ମ୍ୟାଚ୍ ପୂର୍ବରୁ ଅଯୋଗ୍ୟ ଘୋଷଣା ହେବା ପରେ ଆଜି ଭିନେଶ ଫୋଗାଟଙ୍କ ପଦକ ସ୍ଥିର ହେବ। ଭିନେଶଙ୍କ ପାଇଁ ଖୁସି ଖବର ହେଉଛି ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ମାମଲାରେ ପ୍ରସିଦ୍ଧ ଭାରତୀୟ ଆଇନଜୀବୀ ହରିଶ ସାଲଭେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ପ୍ରତିନିଧିତ୍ୱ କରିବେ।
ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା କିଙ୍ଗ୍ସ କାଉନସେଲ ସାଲଭେ ଏଏନଆଇକୁ ନିଶ୍ଚିତ କରିଛନ୍ତି ଯେ ଭିନେଶ ଫୋଗାଟଙ୍କ ମାମଲାକୁ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର ସ୍ପୋର୍ଟସ (ସିଏଏସ୍)ରେ ଲଢ଼ିବା ପାଇଁ ଆଇଓଏ ତାଙ୍କୁ ନିଯୁକ୍ତ କରିଛି।
ଅନ୍ତିମ ମୁକାବିଲା ପୂର୍ବରୁ ୧୦୦ ଗ୍ରାମ ଓଜନ ଅଧିକ ଥିବା ଜଣାପଡ଼ିବାରୁ ଭିନେଶଙ୍କୁ ୫୦ କେଜି ଓଜନ ବର୍ଗରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏବେ ଭିନେଶ ତାଙ୍କ ବିରୋଧରେ ସିଏଏସରେ ମାମଲା ରୁଜୁ କରିଛନ୍ତି। ସିଏଏସ୍ ରେ ଶୁଣାଣି ଆଜି ଅର୍ଥାତ୍ ଅଗଷ୍ଟ ୯ ତାରିଖ ଭାରତୀୟ ସମୟ ଅପରାହ୍ନ ସାଢ଼େ ୧୨ଟାରୁ ଆରମ୍ଭ ହେବ।
ଏହା ପୂର୍ବରୁ ହରିଶ ସାଲଭେ ପାକିସ୍ତାନରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ମାମଲାରେ ଅନ୍ତର୍ଜାତୀୟ ଅଦାଲତରେ ମାମଲା ଲଢ଼ିଥିଲେ। ଲକ୍ଷ ଲକ୍ଷ ଟଙ୍କା ଫି' ନେଉଥିବା ସାଲଭେ ସେତେବେଳେ ଗୋଟିଏ ଟଙ୍କା ବି ଆଦାୟ କରିନଥିଲେ। ଏଭଳି ସ୍ଥିତିରେ ପାକିସ୍ତାନକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ୟାରିସ୍ ଅଲିମ୍ପିକ୍ସ ଫାଇନାଲ୍ ରୁ ଅଯୋଗ୍ୟ ଘୋଷଣା ହେବା ପରେ ଭିନେଶ ଫୋଗାଟ୍ ଗୁରୁବାର କୁସ୍ତିରୁ ଅବସର ଘୋଷଣା କରିଛନ୍ତି।