ବିଶାଖାପଟନମ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୧-୧ରେ ବରାବର ରହିଛି । ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଶନିବାର ବିଶାଖାପଟନମରେ ଖେଳାଯିବ । ପ୍ରଥମ ଦିନିକିଆକୁ ଭାରତ ୧୭ ରନରେ ଜିତିଥିବା ବେଳେ ଦ୍ୱିତୀୟ ଦିନିକିଆ ଜିତି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦମଦାର ପ୍ରତ୍ୟାବର୍ତ୍ତନ କରିଛି । ତେଣୁ ନିର୍ଣ୍ଣାୟକ ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।
ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଅର୍ଦ୍ଧଶତକ ହାସଲ କରିଥିଲେ । ଦ୍ୱିତୀୟ ଦିନିକିଆରେ ଭଲ ଆରମ୍ଭ ମଧ୍ୟ କରିଥିଲେ । କିନ୍ତୁ ତାଙ୍କ ସହ ଓପନିଂ କରୁଥିବା ଯଶସ୍ୱୀ ଜୟସ୍ୱାଲ ଏ ପର୍ଯ୍ୟନ୍ତ ଦିନିକିଆରେ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି । ତଥାପି ଅଧିନାୟକ କେଏଲ ରାହୁଲ ଓ ଟିମ୍ ମ୍ୟାନେଜମେଣ୍ଟ ଜୟସ୍ୱାଲଙ୍କୁ ଆଉ ଏକ ସଯୋଗ ଦେଇ ପାରନ୍ତି । ତୃତୀୟ ନମ୍ବରରେ ବିରାଟ କୋହଲି ଥିବା ବେଳେ ଚତୁର୍ଥରେ ଋତୁରାଜ ଗାଏକ୍ୱାଡ । ଏହି ଦୁଇ ଖେଳାଳି ଦ୍ୱିତୀୟ ଦିନିକିଆରେ ମଦଦାର ଶତକ ହାସଲ କରିଥିଲେ ।
ପାଞ୍ଚ ନମ୍ବରରେ କେଏଲ ରାହୁଲ ବ୍ୟାଟିଂ କରି ପାରନ୍ତି, ଯିଏ ପ୍ରଥମ ଦୁଇଟି ମ୍ୟାଚରେ ଷଷ୍ଠରେ ବ୍ୟାଟିଂ କରିଛନ୍ତି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଅଉ ଏକ ସୁଯୋଗ ମିଳିପାରେ । ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ପ୍ରଥମ ଦୁଇଟି ଦିନିକିଆରେ ନିରାଶ କରିଛନ୍ତି । ଏହି ଦୁଇଟି ମୁକାବିଲାରେ ସେ ମାତ୍ର ୩ଟି ୱିକେଟ୍ ନେଇଛନ୍ତି । ୱାଶିଂଟନ ସୁନ୍ଦର ମଧ୍ୟ ନିଜର ଖ୍ୟାତି ଅନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ତୃତୀୟ ଦିନିକିଆରେ ଏହି ଦୁଇ ଖେଳାଳିଙ୍କ ସ୍ଥାନ ମିଳିବା ନେଇ ଆଶଙ୍କା ରହିଛି । ସୁନ୍ଦରଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ସୁଯୋଗ ମିଳିପାରେ । ପ୍ରସିଦ୍ଧ କୃଷ୍ଣଙ୍କ ସ୍ଥାନରେ ନୀତିଶ କୁମାର ରେଡ୍ଡୀଙ୍କୁ ସାମିଲ୍ କରାଯାଇପାରେ । ଦ୍ୁତ ବୋଲର ଭାବେ ଅର୍ଶଦୀପ ସିଂ ଓ ହର୍ଷିତ ରାଣା ନିଜର ସ୍ଥାନ ବଜାୟ ରଖିବେ ।
ତୃତୀୟ ଦିନିକିଆ ପାଇଁ ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ଯଶସ୍ୱୀ ଜୟସ୍ୱାଲ, ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଏକ୍ୱାଡ, କେଏଲ ରାହୁଲ(ଅଧିନାୟକ/ୱିକେଟ କିପର), ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡେଜା, ନୀତିଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂ, ହର୍ଷିତ ରାଣା ଓ କୁଲଦୀପ ଯାଦବ ।
Also read: ବାରବାଟୀ ମ୍ୟାଚ୍: ଖୋଲିଲା କାଉଣ୍ଟର୍, ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼