ଗ୍ୱାଲିୟର: ଭାରତ ଓ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଗ୍ୱାଲିୟରରେ ଖେଳାଯିବ । ଏହି ମୁକାବିଲା ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ । ତେବେ ଏହି ମ୍ୟାଚରେ ଭାରତର ଚୂଡାନ୍ତ ଏକାଦଶକୁ ନେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ କୋଚ୍ ଗୌତମ ଗମ୍ଭୀରଙ୍କୁ ଅଡୁଆରେ ପକାଇପାରେ । ୧୫ ଜଣରୁ କେଉଁଁ ୧୧ ଜଣଙ୍କୁ ପ୍ରଥମ ଟି-୨୦ରେ ସୁଯୋଗ ରହିବ ତା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି । ସିରିଜ୍ ଆରମ୍ଭ ହେବା ପୂର୍ବରୁ ଦଳରେ ଗୋଟିଏ ବଡ ପରିବର୍ତ୍ତନ କରାଯାଇଛି । ଆହତ କାରଣରୁ ଶିବମ ଦୁବେ ସିରିଜରୁ ବାଦ୍ ପଡିଥିବା ବେଳେ ତାଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ସାମିଲ କରାଯାଇଛି ।
ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଘୋଷଣା କରି ସାରିଛନ୍ତି ଯେ, ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଇନିଂସ ଓପନ କରିବେ । ଏହା ପରେ ନମ୍ବର ତିନିରେ ଖୋଦ୍ ଅଧିନାୟକ ବ୍ୟାଟିଂ କରି ପାରନ୍ତି । ଏହା ପରେ ମଧ୍ୟକ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ନବାଗତ ନୀତିଶ ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ । ରିଙ୍କୁ ସିଂ ନମ୍ବର ୬ରେ ବ୍ୟାଟିଂ କରିବା ନିଶ୍ଚିତ ଲାଗୁଛି ।
ସମସ୍ୟା ଏଠାରୁ ଆରମ୍ଭ ହେଉଛି । ନମ୍ବର ୭ ପାଇଁ ୱାଶିଂଟନ ସୁନ୍ଦର ଓ ରିୟାନ ପରାଗଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଛି । ଦୁଇ ଖେଳାଳି ଭଲ ଅଫ ସ୍ପିନ ସହିତ ବ୍ୟାଟିଂ କରି ପାରନ୍ତି । ଯଦି ଚୟନ ନମ୍ବର ୭ ପାଇଁ ତେବେ ଦୌଡରେ ୱାଶିଂଟନ ସୁନ୍ଦର ଆଗରେ ରହିବେ ।
ଏହା ପରେ ଚାରି ବୋଲର ରହିବେ, ଯେଉଁଥିରେ ଦୁଇ ଜଣ ସ୍ପିନର ଏବଂ ଦୁଇ ଜଣ ଦ୍ରୁତ ବୋଲରଙ୍କୁ ସ୍ଥାନ ମିଳିପାରେ । ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ନୀତିଶ ରେଡ୍ଡୀ ତୃତୀୟ ଓ ଚତୁର୍ଥ ଦ୍ରୁତ ବୋଲର ଭୂମିକା ନିଭାଇ ପାରନ୍ତି । ଦୁଇ ଜଣ ସ୍ପିନର ଭାବେ ରବି ବିଷ୍ନୋଇଙ୍କ ସହିତ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ । ଦ୍ରୁତ ବୋଲର ଭାବେ ଅର୍ଶଦୀପ ସିଂଙ୍କ ସହିତ ଦ୍ରୁତ ବୋଲରର ସୌଦାଗର ମୟଙ୍କ ଯାଦବଙ୍କୁ ସୁଯୋଗ ମିଳିପାରେ । ହର୍ଷିତ ରାଣାଙ୍କୁ ନିଜର ପଦାର୍ପଣ ପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡିପାରେ ।
ସମ୍ଭାବିତ ଚୂଡାନ୍ତ ଏକାଦଶ
ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ନୀତିଶ ରେଡ୍ଡୀ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ୱାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ଅର୍ଶଦୀପ ସିଂ, ମୟଙ୍କ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ ।