ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଭାରତୀୟ ଟିମ୍ ପାଇଁ ଆସିଛି ଖରାପ ଖବର । ତାରକା ବ୍ୟାଟର ତିଳକ ବର୍ମା ଆହତ ହୋଇଛନ୍ତି ଏବଂ ତାଙ୍କର ସର୍ଜରୀ ବି ହୋଇଛି । ବିଜୟ ହଜାରେ ଟ୍ରଫିର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ପାଇଁ ରାଜକୋଟରେ ଥିଲେ ତିଳକ । ହେଲେ ତାଙ୍କ ଗ୍ରୋଇନରେ ଯନ୍ତ୍ରଣା ହୋଇଥିଲା । ସ୍କାନ ପାଇଁ ତାଙ୍କୁ ରାଜକୋଟର ଏକ ଘରୋଇ ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ଛୋଟ ସର୍ଜରୀ ହୋଇଛି । ଫଳରେ ତିଳକ କିଛି ସମୟ ପର୍ଯ୍ୟନ୍ତ ଭାରତୀୟ ଦଳରୁ ବାଦ୍ ପଡି ପାରନ୍ତି । ତେବେ ବିସିସିଆଇ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ବୟାନ ଆସିନାହିଁ ।
ଷ୍ଟାରସ୍ପୋର୍ଟ୍ସର ରିପୋର୍ଟ ଅନୁଯାୟୀ, ତିଳକ ବର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ଜାନୁଆରୀ ୨୧ରୁ ଆରମ୍ଭ ହେଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡି ପାରନ୍ତି । ଏହା ପରେ ବି ପରବର୍ତ୍ତୀ ତିନୋଟି ମ୍ୟାଚ୍ ଖେଳିବେ କି ନାହିଁ ତାହା ତାଙ୍କର ଫିଟନେସ୍ ଆଧାରରେ ନିଷ୍ପତ୍ତି ନିଆଯିବ । ପୂରା ଦେଶ ଏବେ ତାଙ୍କର ଫିଟନେସ୍ କାମନା କରିବ । କାରଣ ତିଳକ ଭାରତୀୟ ଟି-୨୦ ଦଳର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଗୁରୁତ୍ୱପୂର୍ଣ୍ଣ ଖେଳାଳି ।
ଭାରତ ଫେବୃଆରୀ ୭ରେ ନିଜର ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବ । ଯଦି ତିଳକ ବର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ଫିଟ୍ ହୋଇ ଯାଆନ୍ତି ତେବେ ଭାରତୀୟ ଟିମ୍ ପାଇଁ ବଡ ଆଶ୍ୱସ୍ତିକର ଖବର ହେବ । ତିଳକ ବର୍ମା ଗତ କିଛି ସମୟରୁ ଟି-୨୦ କ୍ରିକେଟରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି । ସେ ଗତ ବର୍ଷ ଏସିଆ କପ୍ ଫାଇନାଲରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ ।
Also read: ପ୍ରଥମେ ଟି-୨୦ ପାଇଁ ଭାରତ ନ ଯିବାକୁ ନିଷ୍ପତ୍ତି, ଏବେ ଆଇପିଏଲ ଉପେ ରୋକ୍ ଲଗାଇଲା ବାଂଲାଦେଶ