ପୁଣେ: ମିଚେଲ ସାଣ୍ଟନରଙ୍କ ଘାତକ ବୋଲିଂ ଓ ଅଧିନାୟକ ଟମ ଲାଥମଙ୍କ ଅଧିନାୟକତ୍ୱ ଇନିଂସ ବଳରେ ନ୍ୟୁଜିଲାଣ୍ଡ ପୁଣେରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟରେ ଘରୋଇ ଭାରତକୁ ୧୧୩ ରନରେ ହରାଇଛି । ଏହା ସହିତ ତିନି ମ୍ୟାଚ୍ ବିିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ କବଜା କରି ଇତିହାସ ରଚିଛି । ଭାରତରେ ପ୍ରଥମ ଥର କିୱି ଦଳ ଟେଷ୍ଟ ସିରିଜ ଜିତିବାରେ ସଫଳ ରହିଛି । ମିଚେଲ୍ ସାଣ୍ଟନର ୧୩ ୱିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ସବୁଠୁ ବଡ କଥା ଭାରତ ୪୩୩୨ ଦିନ ପରେ ନିଜ ଘରେ ଟେଷ୍ଟ ସିରିଜ୍ ହାରିଛି । ଏହା ପୂର୍ବରୁ ଶେଷ ଥର ୨୦୧୨ରେ ଇଂଲଣ୍ଡ ଭାରତ ମାଟିରେ ଟେଷ୍ଟ ସିରିଜ୍ ଜିତିଥିଲା । ସେହି ସମୟରେ ଧୋନୀ ଭାରତର ଅଧିନାୟକ ଥିଲେ । ଏବେ ୧୨ ବର୍ଷ ପରେ ପୁଣି ଭାରତ ଘରୋଇ ମାଟିରେ ଟେଷ୍ଟ ସିରିଜ ହାରିଛି । ଲଗାତାର ୧୮ ଟେଷ୍ଟ ସିରିଜ୍ ଜିତିବା ପରେ ଭାରତ ନିଜ ଘରେ ଟେଷ୍ଟ ସିରିଜ ହାରିଛି ।
ନ୍ୟୁଜିଲାଣ୍ଡ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମ ଇନିଂସରେ ୨୫୯ ରନ କରିଥିଲା । ଜବାବରେ ଭାରତ ମିଚେଲ ସାଣ୍ଟନରଙ୍କ ଆଗରେ ଆତ୍ମ ସମର୍ପଣ କରି ୧୫୬ ରନ କରି ପାରିଥିଲା । ଏହି ପରି ଭ୍ରମଣକାରୀ ଦଳ ୧୦୩ ରନରେ ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ୨୫୫ ରନ କରି ଭାରତକୁ ୩୫୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ତେବେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବ୍ୟାଟରଙ୍କ ବିଫଳତା ଯୋଗୁଁ ୨୪୫ ରନ କରି ପାରିଥିଲା । ଏକଦା ଭାରତ ଗୋଟିଏ ୱିକେଟ୍ ହରାଇ ୯୬ ରନ କରିଥିଲା । ମାତ୍ର ମଧ୍ୟକ୍ରମ ବ୍ୟାଟରଙ୍କ ସଂପୂର୍ଣ୍ଣ ବିଫଳତା ଯୋଗୁଁ ଦଳ ମ୍ୟାଚରେ ୧୧୩ ରନରେ ପରାଜିତ ହୋଇଛି ।
ନ୍ୟୁଜିଲାଣ୍ଡର ଏହି ଐତିହାସିକ ବିଜୟରେ ହିରୋ ସାଜିଥିବା ମିଚେଲ ସାଣ୍ଟନର ମୋଟ୍ ୧୩ ୱିକେଟ୍ ନେଇଥିଲେ । ପ୍ରଥମ ଇନିଂସରେ ସେ ସାତ ଭାରତୀୟ ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ । ପୁଣି ଦ୍ୱିତୀୟ ଇନିଂସରେ ୬ ଜଣଙ୍କ ଶିକାର କରିଥିଲେ ।
୩୫୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତୀୟ ଦଳ ପାଇଁ ଯଶସ୍ୱୀ ଜୟସ୍ୱାଲ ୬୫ ବଲରୁ ୭୭ ରନର ଇନିଂସ ଖେଳିଥିଲେ । ଏଥିରେ ୯ ଚୌକା ଓ ୩ ଛକା ସାମିଲ ଥିଲା । ଏହା ବାଦ୍ ରୋହିତ ଶର୍ମା ୮, ଶୁଭମନ ଗିଲ୍ ୨୩, ବିରାଟ କୋହଲି ୧୮, ଋଷଭ ପନ୍ତ ୦, ୱାଶିଂଟନ ସୁନ୍ଦର ୨୧, ଓ ସରଫରାଜ ଖାନ ୯ ଓ ରବିଚନ୍ଦ୍ରନ ଅଶ୍ୱିନ ୧୮ ରନ କରି ଆଉଟ୍ ହୋଇଥିଲେ । ଜାଡେଜା ୪୨ ରନର ଇନିଂସ ଖେଳିଥିଲେ ।