ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡ଼ିଶା): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୋର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚ ବ୍ରିସବେନରେ ଆସନ୍ତା ୧୫ ତାରିଖ ଠାରୁ ଖେଳାଯିବ । ବର୍ତ୍ତମାନ ଯାଏଁ ଶୃଙ୍ଖଳା ୧-୧ରେ ଡ୍ର ଅଛି । ନିର୍ଣ୍ଣାୟକ ମ୍ୟାଚ ପରେ ଫଳାଫଳ ନିର୍ଦ୍ଧାରଣ ହେବ । ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଦେଜା ସମେତ କିଛି ଅନ୍ୟ ଖେଳାଳି ଆଘାତ ଯୋଗୁଁ ଖେଳିପାରିବେ ନାହିଁ । ଏହା ପରେ ମଧ୍ୟ ଅତିଥି ଦଳ ଘରୋଇ ଟିମ ପାଇଁ ଚିନ୍ତା ବଢ଼ାଇବାର କ୍ଷମତା ରଖିଛି ।
ଆଘାତ ପାଇ ଟିମକୁ ଫେରିଥିବା ଭାରତୀୟ ଉପଅଧିନାୟକ ରୋହିତ ଶର୍ମା ସିଡନୀରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ବ୍ରିସବେନରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଯୁବ ଓପନର ଶୁଭମନ ଗିଲ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି । ବ୍ରିସବେନରେ ମଧ୍ୟ ତାଙ୍କ ପାଇଁ ଭଲ ସୁଯୋଗ ରହିଛି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ନେଇଥିବା ଆଜିଙ୍କ୍ୟ ରାହାଣେ ମେଲବୋର୍ଣ୍ଣରେ ଶତକ ହାସଲ କରିଥିଲେ । ତେଣୁ ଭାରତୀୟ ପ୍ରଶଂସକ ତାଙ୍କ ଠାରୁ ଶେଷ ଟେଷ୍ଟରେ ଭଲ ଆଶା ରଖିଛନ୍ତି ।
ନିଜର ଯାଦୁକାରୀ ବୋଲିଂରେ ବିରୋଧୀ ଟିମକୁ ଭୟଭୀତ କରିପାରୁଥିବା ରବିଚନ୍ଦ୍ରନ ଅଶ୍ୱିନ ସିଡନୀ ଟେଷ୍ଟରେ ଯେଭଳି ପ୍ରଦର୍ଶନ କରିଥିଲେ, ଏହାକୁ ବ୍ରିସବେନରେ ମଧ୍ୟ କରିବାକୁ ଉଦ୍ୟମ କରିବେ । ଯଦି ଯଶପ୍ରୀତ ବୁମରା ନ ଖେଳନ୍ତି, ତା’ହେଲେ ପିତାଙ୍କ ମୃତ୍ୟୁ ପରେ ବି ଅଷ୍ଟ୍ରେଲିଆରେ ଥିବା ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ ନିକଟରେ ବଡ଼ ଦାୟିତ୍ୱ ରହିବ । କୁହାଯାଉଛି ଯେ, ଟି ନଟରାଜନଙ୍କୁ ମଧ୍ୟ ବ୍ରିସବେନ ଶୃଙ୍ଖଳାରେ ସୁଯୋଗ ମିଳିପାରେ ।