ନୂଆଦିଲ୍ଲୀ: ଶୁକ୍ରବାରଠୁ ଆରମ୍ଭ ହେଉଥିବା ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଆସିଛି ବଡ ଖବର । ବାଂଲାଦେଶର ତାରକା ଅଲରାଉଣ୍ଡର ଶାକିବ ଅଲ ହସନ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । କାନପୁର ଟେଷ୍ଟ ମ୍ୟାଚ୍ ଖେଳିବା ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍ ହେବ ବୋଲି ଅଲରାଉଣ୍ଡର ସୂଚନା ଦେଇଛନ୍ତି ।
ଶାକିବ ଅଲ ହସନ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଘରୋଇ ଟେଷ୍ଟ ସିରିଜ୍ ଏହି ଫର୍ମାଟରେ ତାଙ୍କ ଶେଷ ସିରିଜ୍ ହେବ । ଏହା ସହିତ ଶାକିବ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ତତ୍କାଳ ପ୍ରଭାବରୁ ଅବସର ଘୋଷଣା କରିଛନ୍ତି । ଶାକିବ କାନପୁରରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ସାମ୍ବାଦିକଙ୍କୁ ସମ୍ବୋଧିତ କରିବା ସମୟରେ ନିଜର ଅବସର ଘୋଷଣାର ସୂଚନା ଦେଇଛନ୍ତି ।
ଏହି ବାମହାତୀ ବ୍ୟାଟର ତତ୍କାଳ ପ୍ରଭାବରୁ ଟି-୨୦ ଅନ୍ତର୍ଜାତୀୟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏହାର ଅର୍ଥ ଟେଷ୍ଟ ସିରିଜ୍ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଶାକିବ ଖେଳିବେ ନାହିଁ । କିଛି ଦିନରେ ବାଂଲାଦେଶ ଟି-୨୦ ଦଳ ଘୋଷଣା ହେବାକୁ ଯାଉଛି । ତେବେ ଶାକିବ ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପର୍ଯ୍ୟନ୍ତ ଦିନିକିଆ କ୍ରିକେଟ୍ ଖେଳିବା ଜାରି ରଖି ପାରନ୍ତି । ଚାମ୍ପିଅନ୍ସ ଟ୍ରଫିରେ ସେ ଦଳ ପାଇଁ ଏକ ପ୍ରମୁଖ ଖେଳାଳି ।
ସୂଚନାଯୋଗ୍ୟ, ଶାକିବ ବାଂଲାଦେଶର ଜଣେ କିମ୍ବଦନ୍ତୀ ଖେଳାଳି । ବାଂଲାଦେଶରେ କ୍ରିକେଟକୁ ଲୋକପ୍ରିୟତା କରାଇବାରେ ତାଙ୍କର ଭୁମିକା ଉଲ୍ଲେଖନୀୟ ରହିଛି । ବିଶ୍ୱ କ୍ରିକେଟରେ ସେ ଶ୍ରେଷ୍ଠ ଅଲରାଉଣ୍ଡର ମଧ୍ୟରୁ ଜଣେ । ଟେଷ୍ଟ ସହ ସେ ଟି-୨୦ରୁ ଅବସର ଘୋଷଣା କରିଛନ୍ତି । ଏହା ତାଙ୍କ ପାଇଁ ଉଚିତ୍ ସମୟ ଥିଲା ବୋଲି ସେ କହିଛନ୍ତି ।