ଅହମଦାବାଦ : ଟେଷ୍ଟରେ ଜାଡେଜା ଷଷ୍ଠ ଶତକ ମାରିଛନ୍ତି । ଇଂଲଣ୍ଡ ସିରିଜରେ କମାଲ କରିଥିବା ଇନଫର୍ମ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପୁଣି ଘରୋଇ ମାଟିରେ ନିଜ ବ୍ୟାଟରେ କମାଲ କରିଛନ୍ତି । ଚଳିତ ଟେଷ୍ଟ ମ୍ୟାଚର ପ୍ରଥମ ଇଂନିସରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଓ୍ବିକେଟ ପାଇନଥିଲେ ବି ବ୍ୟାଟିଂରେ ନିଜର ଦମ ଦେଖାଇଛନ୍ତି । ୧୭୬ ବଲରୁ ୧୦୪ ରନ ସ୍କୋର କରି ଅପରାଜିତ ଅଛନ୍ତି ଜାଡେଜା । ସେ ୬ଟି ଚୌକା ଏବଂ ୫ଟି ଛକା ମାରିଛନ୍ତି । ଟେଷ୍ଟରେ ସର୍ବାଧିକ ଛକା ତାକିଲାରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଜାଡ଼େଜା। ୭୯ ଛକା ସହ ପୂର୍ବତନ କ୍ରିକେଟର ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରବୀନ୍ଦ୍ର ଜାଡ଼େଜା। ପୂର୍ବରୁ ୭୮ଟି ଛକା ସହ ଚତୁର୍ଥ ସ୍ଥାନରେ ଥିଲେ ଧୋନୀ। ୧୦୩ ଛକା ସହ ତାଲିକାର ଶୀର୍ଷରେ ଅଛନ୍ତି ବୀରେନ୍ଦ୍ର ସେହୱାଗ।
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । କେଏଲ୍ ରାହୁଲ, ଧ୍ରୁବ ଜୁରେଲ ଏବଂ ରବିନ୍ଦ୍ର ଜାଡେଜାଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୫ ୱିକେଟ ହରାଇ ୪୪୮ ରନ କରିଛି । ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ ଠାରୁ ଭାରତ ୨୮୬ ରନର ଅଗ୍ରଣୀ ଅଛି । ଦ୍ୱିତୀୟ ଦିନର ଖେଳ ଶେଷରେ ରବିନ୍ଦ୍ର ଜାଡେଜା (୧୦୪) ଏବଂ ୱାଶିଂଟନ ସୁନ୍ଦର (୯) ଅପରାଜିତ ଫେରିଛନ୍ତି । ଘରୋଇ ଦଳ ୨ ୱିକେଟ ହରାଇ ୧୨୧ ରନରୁ ଦିନର ଖେଳ ଆରମ୍ଭ କରିଥିଲା । ପ୍ରଥମ ସେସନରେ ଦଳ ୯୭ ରନ ଯୋଡିଥିଲା । ରାହୁଲ ୧୯୭ ବଲରୁ ୧୦୦ ରନ କରି, ୯ ବର୍ଷ ପରେ ଘରୋଇ ମାଟିରେ ଦ୍ୱିତୀୟ ଟେଷ୍ଟ ଶତକ ମାରିଥିଲେ । ରାହୁଲ ୧୦୦, ଗିଲ୍ ୫୦ ରନ୍ କରି ଆଉଟ୍ ହୋଇଥିଲେ । ଧ୍ରୁବ ଜୁରେଲ ଏବଂ ରବିନ୍ଦ୍ର ଜାଡେଜା ପଞ୍ଚମ ୱିକେଟ ପାଇଁ ୨୦୬ ରନର ପାର୍ଟନରସିପ୍ କରିଥିଲେ । ଧ୍ରୁବ ୧୧୬ତମ ଓଭରର ଶେଷ ବଲରେ ଚୌକା ମାରି କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ପୂରଣ କରିଛନ୍ତି । ଧ୍ରୁବ ଜୁରେଲଙ୍କୁ ଆଉଟ୍ କରି ଖାରି ପିଏରେ ୱେଷ୍ଟଇଣ୍ଡିଜକୁ ପଞ୍ଚମ ସଫଳତା ଦେଇଥିଲେ । ଏହାପରେ ରବିନ୍ଦ୍ର ଜାଡେଜା ତାଙ୍କର ଷଷ୍ଠ ଶତକ ପୂରଣ କରିଥିଲେ ।ଏହି ଟେଷ୍ଟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଖେଳାଳି ପ୍ରଥମ ଦିନର ଦୁଇଟି ସେସନ ମଧ୍ୟ ତିଷ୍ଠି ପାରି ନଥିଲେ । ୱେଷ୍ଟଇଣ୍ଡିଜ ଦଳ ୧୬୨ ରନ୍ରେ ଅଲଆଉଟ୍ ହୋଇଥିଲା । ଭାରତ ପାଇଁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ବୁମରା ତିନୋଟି ଏବଂ କୁଲଦୀପ ଯାଦବ ଦୁଇଟି ୱିକେଟ୍ ନେଇଥିଲେ ।