ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟର ଇଶାନ କିଶନ ରବିବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଧମାକାଦାର ଇନିଂସ ଖେଳି ଶତକ ଅର୍ଜନ କରିଛନ୍ତି । ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳା ଯାଇଥିବା ମୁକାବିଲାରେ ଇଶାନ ୨୫ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ପରେ ଧୂଆଁଧାର ବ୍ୟାଟିଂ କରି ୪୫ ବଲରୁ ଶତକ ପୂରଣ କରିଥିଲେ । ଆଇପିଏଲ ୨୦୨୫ ମେଗା ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ଇଶାନଙ୍କୁ ୧୧.୨୫ କୋଟିରେ କିଣିଥିଲା ।
ସନରାଇଜର୍ସ ହାଇଦ୍ରାବାଦର ସମସ୍ତ ବ୍ୟାଟର ଧୂଆଁଧାର ବ୍ୟାଟିଂ କରିଥିଲେ । ଅଭିଷେକ ଶର୍ମା ୧୧ ବଲରୁ ୨୪ ରନ, ଟ୍ରେଭିସ ହେଡ ୩୧ ବଲରୁ ୬୭ ରନ ଓ ନୀତିଶ କୁମାର ୧୫ ବଲରୁ ୩୦ ରନ କରିଥିଲେ । ଇଶାନ କିଶନ ୪୭ ବଲରୁ ୧୦୬ ରନର ଅପରାଜିତ ଇନିଂସ ଖେଳିଥିଲେ । ଏଥିରେ ୧୧ ଚୌକା ଓ ୬ ଛକା ସାମିଲ । ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୫ ପୂର୍ବରୁ ଇଶାନଙ୍କୁ ଦଳରୁ ରିଲିଜ୍ କରିଥିଲା ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦର ଦୁଇ ଓପନର ଅଭିଷେକ ଶର୍ମା ଓ ଟ୍ରେଭିସ ହେଡ୍ ଇନିଂସ ଓପନ କରି ପାୱାର ପ୍ଲେରେ ଧୂଆଁଧାର ବ୍ୟାଟିଂ କରିଥିଲେ । ଦୁଇ ବ୍ୟାଟର ପ୍ରଥମ ୱିକେଟରେ ୪୫ ରନ ଯୋଡିଥିଲେ । ଅଭିଷେକ ୨୪ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ହେଡ୍ ଓ ଇଶାନ କିଶନ ଇନିଂସ ସମ୍ଭାଳିଥିଲେ । ଦୁଇ ବ୍ୟାଟର ଭୟଙ୍କର ଧୂଆଁଧାର ବ୍ୟାଟିଂ କରିଥିଲେ । ଫଳରେ ପ୍ରଥମ ୬ ଓଭରରେ ଏସଆରଏଚ ଗୋଟିଏ ୱିକେଟ୍ ହରାଇ ୯୪ ରନ କରିଥିଲା ।
ଦୁଇ ବ୍ୟାଟର ଦ୍ୱିତୀୟ ୱିକେଟ୍ ପାଇଁ ୮୫ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ । ଇଶାନ କିଶନ ରାଜସ୍ଥାନ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ହେଡ୍ ୩୧ ବଲରୁ ୯ ଚୌକା ଓ ୩ ଛକା ସହ ୬୭ ରନ କରି ଆଉଟ୍ ହୋଇଥିଲେ । ଇଶାନ କିଶନ ଓ ନୀତିଶ ରେଡ୍ଡୀ ଦଳର ସ୍କୋରକୁ ୨୦୦ ପହଞ୍ଚାଇଥିଲେ । ଦୁଇ ବ୍ୟାଟର ତୃତୀୟ ୱିକେଟରେ ୭୨ ରନ ଯୋଡିଥିଲେ । ନୀତିଶ ୧୫ ବଲରୁ ୩୦ ରନ କରିଥିଲେ । ହେନରିକ କ୍ଲାସେନ ୧୪ ବଲରୁ ୫ ଚୌକା ଓ ୧ ଛକା ସହ ୩୪ ରନ ଖେଳି ପାଭିଲିୟନ ଫେରିଥିଲେ ।
ଇଶାନ କିଶନ ଶତକ ୪୫ ବଲରୁ ପୂରଣ କରିଥିଲେ । ସେ ୪୭ ବଲରୁ ୧୧ ଚୌକା ଓ ୬ ଛକା ସହ ୧୦୬ ରନରେ ଅପରାଜିତ ଥିଲେ । ଶେଷ ଓଭରରେ ବଡ ରନ ସଂଗ୍ରହ କରି ପାରି ନ ଥିଲା । ଏଥିସହ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୨୮୬ ରନ କରିଥିଲା ।