ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପୁରସ୍କାର ରାଶି ଘୋଷଣା କରିଛି । ୮ଟି ଦଳକୁ ନେଇ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳକୁ ୨.୨୪ ମିଲିୟନ ୟୁଏସ ଡଲାର ଅର୍ଥାତ ପ୍ରାୟ ୨୦ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ । ଉପ ବିଜେତା ଦଳ ମଧ୍ୟ ମାଲାମାଲ ହେବ । ଏହା ବାଦ୍ ସେମି ଫାଇନାଲରେ ପରାଜିତ ଦୁଇ ଦଳକୁ ମଧ୍ୟ ମୋଟା ଅଙ୍କର ଅର୍ଥ ମିଳିବ । ଏହା ସହିତ ଟୁର୍ଣ୍ଣାମେଣ୍ଟର ପ୍ରତି ମ୍ୟାଚ୍ ଜିତିବା ଉପରେ ଦଳଗୁଡିକୁ ମଧ୍ୟ ଆଇସିସିରୁ ଅର୍ଥ ରାଶି ମିଳିବ । ୨୦୧୭ ଟୁର୍ଣ୍ଣାମେଣ୍ଟ ତୁଳନାରେ ଏଥର ଆଇସିସି ଅଧିକ ପୁରସ୍କାର ରାଶି ଦେବାକୁ ନିଷ୍ପତ୍ତି ନେଇଛି ।
ଆଇସିସିର ସୂଚନା ଅନୁଯାୟୀ, ୨୦୧୭ ପରେ ପ୍ରଥମ ଥର ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜେତାକୁ ୨.୨୪ ମିଲିୟନ ଆମେରିକୀୟ ଡଲାର ମିଳିବ । ଉପବିଜେତା ଦଳକୁ ୧.୧୨ ମିଲିୟନ ଡଲାର ଅର୍ଥାତ ୧୦ କୋଟି ଟଙ୍କା ମିଳିବ । ଦୁଇ ସେମି ଫାଇନାଲ୍ ପରାଜିତ ଦଳକୁ ୫ କୋଟି ଟଙ୍କା ଲେଖାଏଁ ମିଳିବ । ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ମୋଟ୍ ପୁରସ୍କାର ରାଶି ଭାବେ ୬.୯ ମିଲିୟନ ୟୁଏସ ଡଲାର ରଖାଯାଇଛି, ଯାହା ୨୦୧୭ ସଂସ୍କରଣ ତୁଳନାରେ ୫୩ ପ୍ରତିଶତ ରହିଛି ।
ପ୍ରତ୍ୟେକ ଗ୍ରୁପ ମ୍ୟାଚ୍ ଜିତିବା ଦଳକୁ ୩୪ ହଜାର ଡଲାର ମିଳିବ । ସେହିପରି ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ରହୁଥିବା ଦଳକୁ ସାଢେ ୩ ଲକ୍ଷ ଡଲାର ମିଳିବ । ଏହା ବାଦ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହୁଥିବା ଦଳକୁ ଏକ ଲକ୍ଷ ୪୦ ହଜାର ଡଲାର ଅତିରିକ୍ତ ମିଳିବ । ଏହିପରି ଏଥରର ଚାମ୍ପିଅନ୍ସ ଟ୍ରଫିରେ ସବୁ ଦଳ ମାଲାମାଲ ହେବାକୁ ଯାଉଛନ୍ତି । ଆଇସିସି ଅଧ୍ୟକ୍ଷ ଜୟ ଶାହ ଏହାର ଘୋଷଣା କରିଛନ୍ତି ।