ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନର ଐତିହାସିକ ବିଜୟ । ପ୍ରଥମଥର ପାଇଁ ପାକିସ୍ତାନକୁ ଭାରତ ମାଟିରେ ଧୂଳି ଚଟାଇଛି ଆଫଗାନି ଦଳ । ସୋମବାର ହାଇଭୋଲଟେଜ୍ ଲଢେଇରେ ପାକିସ୍ତାନକୁ ୮ ୱିକେଟରେ ହରାଇଛି ଆଫଗାନିସ୍ତାନ । ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଏହା ହେଉଛି ପ୍ରଥମ ଦିନିକିଆ ବିଜୟ। ଏହାପୂର୍ବରୁ ଆଫଗାନିସ୍ତାନ କୌଣସି ବି ଦିନିକିଆ ମ୍ୟାଚ୍ରେ କେବେ ବି ପାକିସ୍ତାନକୁ ହରାଇ ନଥିଲା। ପ୍ରଥମେ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଇଂଲଣ୍ଡ ଆଉ ଏବେ ପାକିସ୍ତାନ । ସୋମବାର ଚେନ୍ନାଇରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ପାକିସ୍ତାନ ।ପୂର୍ବରୁ ଇଂଲଣ୍ଡକୁ ହରାଇଥିବା ଆଫଗାନିସ୍ତାନ ଟିମ ଚେନ୍ନାଇରେ ପାକିସ୍ତାନକୁ ୮ ୱିକେଟରେ ହରାଇ ଦେଇଛି ।
ଉଭୟ ଦଳ ୭ଥର ଦିନିକିଆରେ ମୁହାଁମୁହିଁ ହୋଇଥିବା ବେଳେ ସବୁଥର ପାକିସ୍ତାନ ବାଜି ମାରିଥିଲା। କିନ୍ତୁ ଭାରତରେ ଖେଳା ଯାଉଥିବା ବିଶ୍ୱକପରେ ଇତିହାସ ବଦଳାଇ ଦେଇଛି ଆଫଗାନିସ୍ତାନ। ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳ ଜବରଦସ୍ତ ପ୍ରଦର୍ଶନ କରିଛି। ଚଳିତ ବିଶ୍ୱକପରେ ଏହା ଆଫଗାନିସ୍ତାନର ଦ୍ୱିତୀୟ ବିଜୟ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ୭୪, ଅବଦୁଲ୍ଲା ଶଫିକଙ୍କ ୫୬, ଇଫତକାର ଅହମଦଙ୍କ ୪୦ ଓ ଶଦାବ ଖାନଙ୍କ ୪୦ ରନ ବଳରେ ୭ ୱିକେଟ ହରାଇ ୨୮୨ ରନ କରିଥିଲା ।ଏହାର ଜବାବରେ ଆଫଗାନିସ୍ତାନ ପ୍ରଥମରୁ ଆରମ୍ଭ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ଦୁଇ ଓପନର ଗୁରବାଜ ଏବଂ ଇବ୍ରାହିମ୍ ଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ରେହମତ୍ ଓ ହସମତୁଲ୍ଲାଙ୍କ ଦମଦାର ବ୍ୟାଟିଂ ବଳରେ ପାକିସ୍ତାନଠୁ ୮ ୱିକେଟରେ ଜିତିଛି ଆଫଗାନିସ୍ତାନ । ଏହି ବଡ ବିଜୟ ସହ ଦଳ ପଏଣ୍ଟ୍ ତାଲିକାର ଶେଷରୁ ଷଷ୍ଠ ସ୍ଥାନକୁ ଆସିଛି ।
ସେହିପରି ହ୍ୟାଟ୍ରିକ ପରାଜୟ ସହ ପାକିସ୍ତାନ ଏବେ ଚଳିତ ବିଶ୍ୱକପରୁ ବିଦା ହେବା ଦ୍ୱାରଦେଶରେ ପହଞ୍ଚି ଗଲାଣି । ପ୍ରଥମଥର ପାଇଁ କୌଣସି ବିଶ୍ୱକପରେ ଆଫଗାନିସ୍ତାନ ଦଳ ଦୁଇଟି ବିଜୟ ହାସଲ କରିବାର ରେକର୍ଡ ମଧ୍ୟ କରିଛି ।