ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଅକ୍ଷୟ ବାଜି ରାଉତଙ୍କ ଆଜି ଜନ୍ମ ଜୟନ୍ତୀ
Khabar Odisha:state-odisha-special-baji-rout-birthday-oct-5
ଭୁବନେଶ୍ଵର, ଅକ୍ଟୋବର ୦୫ (ଖବର ଓଡିଶା) :

ଭାରତ ଇଂରେଜମାନଙ୍କ କବଳରେ ପରାଧୀନ ହେବାପରେ ଦେଶକୁ ସ୍ଵାଧୀନ କରିବା ପାଇଁ ବହୁ ସ୍ଵାଧୀନତା ସଂଗ୍ରାମୀମାନେ ବଳିଦାନ ଦେଇଛନ୍ତି। ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଯାଏଁ ବହୁ ଅକ୍ଷୟ ପୁରୁଷଙ୍କ ନାମ ଦେଶର ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ସ୍ଵାଧୀନତା ସଂଗ୍ରାମରେ କେତେ ଯେ ମହାମନୀଷି ବଳିଦାନ ଦେଇଛନ୍ତି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଏହି ସଂଗ୍ରାମ ପାଇଁ ଆମ ଓଡିଶା ମାଟିରୁ ବୀରଗତି ପ୍ରାପ୍ତ କରିଥିବା ଜଣେ ମହାନ ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ହେଉଛନ୍ତି ବାଜି ରାଉତ। ତାଙ୍କ ନାଁ ଯେପରି ବାଜି ସେ ଦେଶ ପାଇଁ ନିଜ ଜୀବନକୁ ସେହିଭଳି ଭାବରେ ବାଜି ଲଗାଇଥିଲେ। ଆଜି ସେହି ମହାନ ସଂଗ୍ରାମୀଙ୍କର ଜନ୍ମ ଦିବସ। 

୧୯୨୬ ଅକ୍ଟୋବର ୫ରେ ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁରର ଜନ୍ମଗ୍ରହଣ କରିଥିଲେ ବାଜି ରାଉତ। ସେହି ସମୟରେ ଦେଶ ଇଂରେଜମାନଙ୍କ ଅଧୀନରେ ଥିଲା। ଇଂଗ୍ରେଜମାନେ ମଧ୍ୟ ସେତେବେଳକୁ ଓଡିଶାରେ ପ୍ରଭାବ ବିସ୍ତାର କରି ସାରିଥିଲେ। ସେମାନଙ୍କ ଠାରୁ ଭାରତ ମାତାକୁ ମୁକ୍ତ କରିବା ପାଇଁ ମହାମନୀଷିମାନେ ଆନ୍ଦୋଳନ କରିବା ଆରମ୍ଭ କରି ଦେଇଥିଲେ। ତେବେ ମାତ୍ର ୧୨ ବର୍ଷ ହୋଇଥିଲେ ମଧ୍ୟ ବାଜି ରାଉତ ଏହି ବିଷୟରେ ସମ୍ପୂର୍ଣ୍ଣ ରୂପରେ ଅଜ୍ଞ ଥିଲେ। ବାଳକ ହୋଇଥିଲେ ମଧ୍ୟ ନିଜ ମାଟି ମା ପାଇଁ ସେ ନିଜ କର୍ତ୍ତବ୍ୟବୋଧକୁ ବେଶ୍ ଭଲ ଭାବରେ ବୁଝିପାରିଥିଲା।  

ସେହି ସମୟରେ ପ୍ରଜାମଣ୍ଡଳ ନାମକ ଏକ ସଙ୍ଗଠନ ଥିଲା। ତେବେ ପ୍ରଜାମଣ୍ଡଳ ଭଳି ପିଲାମାନଙ୍କର ମଧ୍ୟ ବାନରସେନା ନାମକ ଏକ ସଙ୍ଗଠନ ଥିଲା। ଏହି ସଙ୍ଗଠନର କର୍ମୀ ଥିଲେ ବାଜି ରାଉତ। ଇଂରେଜମାନଙ୍କ ବିରୁଦ୍ଧରେ ପ୍ରଜାମଣ୍ଡଳ ଦ୍ଵାରା ଭୁବନ ପୁଲିସ ଥାନା ସମ୍ମୁଖରେ ଆନ୍ଦୋଳନ କରାଯାଉଥିଲା। ଜନ ଆକ୍ରୋଶକୁ ପୁଲିସ ଆୟତ୍ତ କରି ନପାରି ଗୁଳିଚାଳନା ଆରମ୍ଭ କରିଥିଲା। ଏହି ଗୁଳି ଚାଳନାରେ ପ୍ରଜାମଣ୍ଡଳର କାର‌୍ୟ୍ୟକର୍ତ୍ତାମାନେ ନିହତ ହୋଇଥିଲେ। ଫଳରେ ସେଠାକାର ସାଧାରଣ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା। ତେଣୁ ମଧ୍ୟରାତ୍ରୀରେ ଇଂରେଜମାନେ ଏହି ସ୍ଥାନ ଛାଡିଯିବାକୁ ପଳାୟନ କରିଥିଲେ। ସେମାନେ ଢେଙ୍କାନାଳରେ ପହଁଚିବା ପାଇଁ ନଦୀପାର କରିବାକୁ ନାଉରିଆକୁ କହିଥିଲେ। କିନ୍ତୁ ସେହି ସମୟରେ ବାଜି ରାଉତ ନାଉରିଆ ଥିଲେ। ସେ ଇଂରେଜମାନଙ୍କୁ ନଦୀ ପାର କରାଇବାକୁ ମନା କରି ଦେଇଥିଲେ। ଏହି କାରଣରୁ ଇଂରେଜମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଗୁଳିକାଣ୍ଡରେ ବାଜି ରାଉତଙ୍କ ସହ ବାନରସେନାର ଅନ୍ୟ ଦୁଇ ଜଣ କର୍ମୀ ଲକ୍ଷ୍ମଣ ମଲ୍ଲିକ ଓ ଫଗୁ ସାହୁ ପ୍ରାଣ ହରାଇଥିଲେ। ଆଜି ହେଉଛି ଭାରତ ମାତାର ସେହି ସୁଯୋଗ୍ୟ ସନ୍ତାନର ଜନ୍ମ ଦିବସ। ଯିଏ ରାମ ସେତୁରେ ମାଟି ପକାଉଥିବା ଗୁଣ୍ଡୁଚି ମୂଷା ଭଳି ସ୍ଵାଧୀନତା ସଂଗ୍ରାମର ଜଣେ ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଥିଲେ।

Subscribe

National International State Sports Entertainment