ଦିଲ୍ଲୀ ନଜଫଗଡ଼ର କୃଷ୍ନା ଯାଦବ । ସ୍କୁଲ ବାରଣ୍ଡା ମାଡ଼ିନାହାନ୍ତି । କିନ୍ତୁ ଦିଲ୍ଲୀର ସ୍କୁଲ ଗୁଡିକ ଏବେ କୃଷ୍ନାଙ୍କୁ ଶୁଣିବା ପାଇଁ ଅତିଥି ଭାବେ ନିମନ୍ତ୍ରଣ କରୁଛନ୍ତି । ନିଜ ପିଲାମାନଙ୍କ ଠାରୁ ଦସ୍ତଖତ ଶିଖିଥିବା କୃଷ୍ଣା ନିଜ ଲକ୍ଷ ପ୍ରତି ଅବିଚଳିତ ରହି ବଦଳାଇ ଦେଇଛନ୍ତି ନିଜର ଆର୍ଥିକ ସ୍ଥିତି ଆଉ ଭାଗ୍ୟ । ଦିନେ ସେ ଘର ଚଳାଇବା ପାଇଁ ଦିଲ୍ଲୀର ସଡକ କଡରେ ଛୋଟ ଏକ ଟେବୁଲ ପକାଇ ସ୍ୱାମୀ ଗୋବର୍ଧନ ସିଂ ଯାଦବଙ୍କ ସହିତ ବିକ୍ରି କରୁଥିଲେ ଫଳ ଓ ପରିବା । ଏବେ ସେ ନିଜ ଚେଷ୍ଟା ଆଉ ପ୍ରୟାସ ବଳରେ ୧୫୨ ପ୍ରକାରର ଆଚାର ,କ୍ୟାଣ୍ଡି ,ମୁରବା ଓ ଜୁସ ତିଆରି କରି ପାଲଟିଛନ୍ତି ଲକ୍ଷପତି । ନିଜ ସମେତ ୧୦୦ ମହିଳାଙ୍କୁ କରାଇଛନ୍ତି ସ୍ୱାବଲମ୍ବୀ ।
ପ୍ରଥମେ କୃଷ୍ନା ସଡକ କଡରେ ଫଳ ଓ ପରିବା ବିକ୍ରି କରୁଥିଲେ । ସ୍ୱାମୀ ମଧ୍ୟ ଏଥିରେ ସାମିଲ ଥିଲେ । ଅଧିକ ଲାଭ ନ ମିଳିଲେ ବି ପରିବାରର ଖାଦ୍ୟ ଓ ଖର୍ଚ୍ଚ ଯୋଗାଡ଼ ହୋଇଯାଉଥିଲା। ଦିନେ ସେ ରେଡିଓରୁ କ୍ରୁଷିଦର୍ଶନ କାର୍ଯ୍ୟକ୍ରମରେ ଆଚାର ତିଆରି ଶୁଣିଲେ । ଏହା ତାଙ୍କ ମନକୁ ପାଇଲା । ଠିକଣା ସଂଗ୍ରହ କରି ସେ ଆବେଦନ କଲେ ଓ ମାସେ ବ୍ୟାପି ଆୟୋଜିତ ତାଲିମରେ ଯୋଗଦେଇ କ୍ୟାଣ୍ଡି ,ଜୁସ ଓ ଆଚାର ତିଆରି ଶିଖିଗଲେ । ତାଲିମ ପରେ ନିଜର ସଂଚିତ ଅର୍ଥ ଓ ଜଣେ ପଡୋଶୀଙ୍କ ଠାରୁ ୫୦୦ ଟଙ୍କା ଧାର ଆଣି ମୋଟ ୨୦୦୦ ଟଙ୍କାର ଆଚାର ତିଆରି କରି ଫଳ ଓ ପରିବା ସହିତ ବିକ୍ରୀକଲେ । ଏହାର ସ୍ୱାଦ ଗ୍ରାହକ ତିଆରି କରିବାରେ ସହାୟକ ହେଲା । ଏବେ କୃଷ୍ନା ଯାଦବ ଆଚାର ତିଆରି କରି ଲକ୍ଷାଧିକ ରୋଜଗାର କରିବା ସହିତ ଅନେକଙ୍କୁ ନିଯୁକ୍ତି ଦେଇଛନ୍ତି । ମହିଳାଙ୍କ ଉନ୍ନତି ପାଇଁ ତାଙ୍କର ଅବଦାନକୁ ସ୍ୱୀକାର କରି ଭାରତ ସରକାର ତାଙ୍କୁ ୨୦୧୫ରେ ସ୍ତ୍ରୀ ଶକ୍ତି ସମ୍ମାନରେ ସମ୍ମାନିତ କରିଛନ୍ତି ।