ଭୁବନେଶ୍ୱର, ଏପ୍ରିଲ ୨୫ (ଖବର ଓଡିଶା)
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ତାରକା ବିରାଟ କୋହଲି ରବିବାର ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ବିରାଟ କୋହଲିଙ୍କ କୀର୍ତ୍ତି କହିଲେ ନସରେ, ତେବେ ସେ ନିଜର ଫିଟ୍ନେସକୁ ନେଇ ହେଉ ବା କୋହଲିଙ୍କ ନୂଆ ରେକର୍ଡ କିମ୍ବା ତାଙ୍କର ବ୍ୟକ୍ତିଗତ କାର୍ଯ୍ୟକଳାପ ଓ ଜୀବନଶୈଳୀ, ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ନିକଟରେ ସେ ଆର୍ସିବିର ପ୍ରଥମ ଏବଂ ମୋଟ ଉପରେ ତୃତୀୟ ଫିଲ୍ଡର ଭାବେ ଆଇପିଏଲ୍ରେ ୧୦୦ କ୍ୟାଚ୍ ନେବାର ଗୌରବ ପାଇଛନ୍ତି। ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ସେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ। ଏହି ମ୍ୟାଚ୍ରେ ଗୋଲ୍ଡେନ୍ ଡକ୍ରେ ଆଉଟ୍ ହୋଇଥିବା କୋହଲି କିନ୍ତୁ ଫିଲ୍ଡିଂରେ ନିଜ ଚମତ୍କାରିତା ଦେଖାଇ ଦୁଇଟି କ୍ୟାଚ୍ ନେଇଥିଲେ ଓ ନିଜ ଦଳକୁ ଜିତାଇବାରେ ଏକ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିବା ସହିତ ବ୍ୟକ୍ତିଗତ ଆଉ ଏକ ମାଇଲଖୁଣ୍ଟ ଛୁଇଁବାରେ ସଫଳ ହୋଇଥିଲେ । ତେବେ ସେ ରାଜସ୍ଥାନର ଶୀର୍ଷ କ୍ରମ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ ଓ ଦେବଦତ୍ତ ପାଡ଼ିକଲଙ୍କ କ୍ୟାଚ୍ ନେଇ ରାଜସ୍ଥାନର ମେରୁଦଣ୍ଡ ଭାଙ୍ଗିଦେଇଥିଲେ । କୋହଲି ୨୨୮ ମ୍ୟାଚ୍ ଖେଳି ୧୦୧ କ୍ୟାଚ୍ ନେଇଥିଲା ବେଳେ ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଅଲ୍ରାଉଣ୍ଡର କିରଣ ପୋଲାର୍ଡ ୧୦୩ ଓ ଭାରତୀୟ ବ୍ୟାଟର୍ ସୁରେଶ ରାଇନା ୧୦୯ଟି କ୍ୟାଚ୍ ନେଇ ରେକର୍ଡ କରିଛନ୍ତି।