ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ବିଶ୍ବକୁ ଏକତାର ବନ୍ଧନରେ ବାନ୍ଧି ରଖିବାକୁ ହେଲେ ଦୟା ହିଁ ଏକମାତ୍ର ମୁଖ୍ୟ ଅସ୍ତ୍ର। ଯେଉଁମାନେ ଦୟାର ଅଲୌକିକତା ଅନୁଭବ କରିଛନ୍ତି ସେମାନେ ସବୁବେଳେ ଦୟାଳୁ। ଦୟା ଭାବ ମାନବ ଜୀବନର ଏକ ମୌଳିକ ଅଂଶ। ଏପରିକି କୀଟ-ପତଙ୍ଗ, ପଶୁ-ପ୍ରାଣୀଙ୍କ ପ୍ରତି ଦୟା ପ୍ରଦର୍ଶନର ଭାବ ଥିବାରୁ ମଣିଷକୁ ଶ୍ରେଷ୍ଠ ପ୍ରାଣୀର ଆଖ୍ୟା ଦିଆଯାଇଛି। ଏଣୁ ଦୟାଳୁ କାର୍ଯ୍ୟ ଦ୍ୱାରା ବିଶ୍ୱକୁ ଏକ ସୁନ୍ଦର ସ୍ଥାନରେ ପରିଣତ କରିବା ଲାଗି ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ସ୍ତରରେ ପ୍ରତିବର୍ଷ ୧୩ ନଭେମ୍ବରରେ ପାଳନ କରାଯାଉଛି ‘ବିଶ୍ୱ ଦୟା ଦିବସ’।
ଦୟାର ଶକ୍ତି କିପରି ସୁସମାଜ ଗଠନ କ୍ଷେତ୍ରରେ ପ୍ରଭାବ ପକାଏ ସେ' ବାବଦରେ ଜାଗରଣ ସୃଷ୍ଟି କରିବା ହିଁ ଏହି ଦିବସ ପାଳନ ପଛର ଉଦ୍ଦେଶ୍ୟ। ବିଶ୍ୱ ଦୟା ଦିବସ ହେଉଛି ସମସ୍ତ ଦୟାଳୁ ହୃଦୟର ଏକ ଉତ୍ସବ, ଯେଉଁମାନେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ବାଟ ଆଗେଇ ଆସିଥାନ୍ତି । ଏହି ଦିବସରେ ବିଦ୍ୟାଳୟ, କର୍ମକ୍ଷେତ୍ର, କଲେଜ ଏବଂ ସର୍ବସାଧାରଣ ସ୍ଥାନରେ ବିଶ୍ୱ ଦୟା ଦିବସ ପାଳନକୁ ଉତ୍ସାହିତ କରାଯାଏ। ବିଶ୍ୱ ଦୟା ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ପର୍ଯ୍ୟବେକ୍ଷଣ, ଯାହା ଏକ ବିଶ୍ୱ ସମୁଦାୟ ଭାବରେ ଶାନ୍ତିପୂର୍ଣ୍ଣ ଭାବେ ଆଗକୁ ବଢିବା ପାଇଁ ପରସ୍ପର ପ୍ରତି ଦୟାଳୁ ହେବା ଆବଶ୍ୟକତାକୁ ଗୁରୁତ୍ୱ ଦେଇଥାଏ।
୧୯୯୭ରେ ଗଠିତ ‘ଓ୍ବଲର୍ଡ କାଇଣ୍ଡ୍ନେସ୍ ମୁଭ୍ମେଣ୍ଟ’ ଦ୍ୱାରା ୧୯୯୮ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ବିଶ୍ୱ ଦୟା ଦିବସ ଲୋକମାନଙ୍କୁ ତଥା ରାଷ୍ଟ୍ରଗୁଡିକୁ ଏକ ଦୟାପୂର୍ଣ୍ଣ ବିଶ୍ୱ ନିର୍ମାଣ କରିବା ପାଇଁ ପ୍ରେରଣା ଯୋଗାଇଥାଏ। ଓ୍ବାଲର୍ଡ କାଇଣ୍ଡ୍ନେସ୍ ମୁଭ୍ମେଣ୍ଟ ଦୟା ଦିବସକୁ ଆଧିକାରିକ ସ୍ତରରେ ସ୍ବୀକୃତି ହେବା ଲାଗି ଅନୁରୋଧ କରାଯିବା ପରେ ଜାତିସଂଘ ବିଶ୍ୱସ୍ତରରେ ଏହାକୁ ପାଳନ କରାଯିବା ପାଇଁ ଘୋଷଣା କରିଥିଲା। ‘ବିଶ୍ୱ ଦୟା ଦିବସ’ କାନାଡା, ନାଇଜେରିଆ, ଜାପାନ, ଅଷ୍ଟ୍ରେଲିଆ ଓ ସଂଯୁକ୍ତ ଆରବ ସଂଘ ସମେତ ବିଭିନ୍ନ ଦେଶରେ ଏହା ପାଳନ କରାଯାଉଛି। ୨୦୦୯ରେ ସିଙ୍ଗାପୁର ପ୍ରଥମେ ଏହି ଦିବସ ପାଳନ କରିଥିଲା।
ଅଧିକ ପଢନ୍ତୁ : ଆଜି ଜାତୀୟ ଶିକ୍ଷା ଦିବସ : ଶିକ୍ଷା ପ୍ରତ୍ୟେକ ମନୁଷ୍ୟର ମୌଳିକ ଅଧିକାର