ଭାରତୀୟ ଟଙ୍କା ଏବେ ଡଲାର ଆଗରେ ଲଗାତାର ଦୁର୍ବଳ ହେଉଛି। ଗତବର୍ଷ ଯେଉଁଠି ୧ ଆମେରିକୀୟ ଡଲାର ପାଇଁ ପ୍ରାୟ ୮୫ ଟଙ୍କା ଦେବାକୁ ପଡ଼ୁଥିଲା, ସେଠାରେ ଚଳିତ ବର୍ଷ ଏହା ୯୬ ଟଙ୍କା ଅତିକ୍ରମ କରିଛି। ଅର୍ଥାତ୍ ଆନ୍ତର୍ଜାତିକ ବଜାରରେ ଭାରତୀୟ ମୁଦ୍ରାର କ୍ରୟ କ୍ଷମତା କମୁଛି। ଏହା କେବଳ ଏକ ଆର୍ଥିକ ପରିସଂଖ୍ୟାନ ନୁହେଁ, ବରଂ ଦେଶର ଅର୍ଥନୀତି, ବ୍ୟବସାୟ ଏବଂ ସାଧାରଣ ଲୋକଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଉଥିବା ଏକ ବଡ଼ ଘଟଣା।
ଯେକୌଣସି ମୁଦ୍ରାର ମୂଲ୍ୟ ଚାହିଦା ଓ ଯୋଗାଣ ଉପରେ ନିର୍ଭର କରେ। ଭାରତ ବିଦେଶକୁ ସାମଗ୍ରୀ ରପ୍ତାନି କଲେ ଟଙ୍କାର ଚାହିଦା ବଢ଼େ। କିନ୍ତୁ ଭାରତ ବିଶ୍ୱର ସବୁଠାରୁ ବଡ଼ ତେଲ ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ ପାଇଁ ଡଲାରରେ ପେମେଣ୍ଟ କରିବାକୁ ପଡ଼େ। ଫଳରେ ଡଲାରର ଚାହିଦା ବଢ଼ୁଥିବାବେଳେ ଟଙ୍କା ଉପରେ ଚାପ ସୃଷ୍ଟି ହୁଏ। ବର୍ତ୍ତମାନ ଭାରତର ଆମଦାନୀ ରପ୍ତାନିଠାରୁ ଅଧିକ ଥିବାରୁ ‘ଟ୍ରେଡ୍ ଡେଫିସିଟ୍’ ବଢ଼ୁଛି, ଯାହା ଟଙ୍କାକୁ ଆହୁରି ଦୁର୍ବଳ କରୁଛି।
ଏହା ସହ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରି ଆମେରିକା ଭଳି ସୁରକ୍ଷିତ ବଜାରକୁ ଫେରୁଛନ୍ତି। ଆମେରିକାରେ ସୁଧ ହାର ବୃଦ୍ଧି ଏବଂ ପଶ୍ଚିମ ଏସିଆର ଯୁଦ୍ଧ ଆଶଙ୍କା ମଧ୍ୟ ନିବେଶକଙ୍କୁ ସତର୍କ କରିଛି। ଏହାର ପ୍ରଭାବରେ ଡଲାର ଶକ୍ତିଶାଳୀ ହେଉଥିବାବେଳେ ଟଙ୍କା ଦୁର୍ବଳ ହେଉଛି।
ଟଙ୍କାର ଏହି ଅବମୂଲ୍ୟାୟନ ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ପରିସ୍ଥିତି ଆଣିପାରେ। ଉଦାହରଣ ସ୍ୱରୂପ, ୧୦୦ ଡଲାରର ଏକ ବ୍ୟାରେଲ ତେଲ ପାଇଁ ପୂର୍ବରୁ ୮,୫୦୦ ଟଙ୍କା ଦେବାକୁ ପଡ଼ୁଥିଲା, କିନ୍ତୁ ଏବେ ୯,୬୦୦ ଟଙ୍କା ଖର୍ଚ୍ଚ ହେଉଛି। ତେଲ ମହଙ୍ଗା ହେଲେ ପରିବହନ ଖର୍ଚ୍ଚ ବଢ଼େ ଏବଂ ତାହାର ପ୍ରଭାବ ଖାଦ୍ୟ ସାମଗ୍ରୀରୁ ଆରମ୍ଭ କରି ଦୈନନ୍ଦିନ ବ୍ୟବହାରର ସମସ୍ତ ଜିନିଷ ଉପରେ ପଡ଼େ।
ତେବେ ଏହି ସ୍ଥିତିକୁ ସମ୍ଭାଳିବା ପାଇଁ RBI ସକ୍ରିୟ ଭୂମିକା ନେଉଛି। ବଜାରରେ ଡଲାର ବିକ୍ରି କରି ଟଙ୍କାର ଚାହିଦା ବଢ଼ାଇବା ସହିତ ଦେଶର ବିପୁଳ ବିଦେଶୀ ମୁଦ୍ରା ଭଣ୍ଡାରକୁ ବ୍ୟବହାର କରୁଛି। ତଥାପି ବିଶ୍ୱ ରାଜନୀତି, ତେଲ ଦର ଓ ବିଦେଶୀ ନିବେଶର ଗତିବିଧି ଉପରେ ଟଙ୍କାର ଭବିଷ୍ୟତ ନିର୍ଭର କରୁଛି। ତେଣୁ ଆଗାମୀ ଦିନରେ ଟଙ୍କାକୁ ସ୍ଥିର ରଖିବା ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।