ଖବର ଓଡିଶା : 27/02/2023
ସାବାସ୍ ବାସନ୍ତୀ’। ଯିଏ ତାଙ୍କ କଥା ଶୁଣୁଛନ୍ତି, ଏମିତି କହୁଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପୁଲିସ ବିଭାଗ ପର୍ଯ୍ୟନ୍ତ ସମସ୍ତେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ତେବେ ଚର୍ଚ୍ଚାରେ ମହିଳା କନେଷ୍ଟବଳ ବାସନ୍ତୀ ଚୌଧୁରୀ। ମାଲକାନଗିରିରୁ ଆସିଛି ଏପରି ଏକ ଖବର, ଯାହା ମାନବିକତାର ଏକ ବଡ଼ ଉଦାହରଣ ଦେଇଛି । ଖବର ଥିଲା ଠିକ ଏମିତି, ଗତକାଲି ମାଲକାନଗିରିରେ କନେଷ୍ଟବଳ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ହେଉଥିଲା। ଜଣେ ମହିଳା ପରୀକ୍ଷା ଦେବାକୁ ଆସିଥିଲେ। ତାଙ୍କ କୋଳରେ କଅଁଳା ଶିଶୁ ଥିଲା। ଶିଶୁକୁ ଧରି ପରୀକ୍ଷା ଦେବା ତାଙ୍କ ପକ୍ଷରେ ସମ୍ଭବ ନଥିଲା | ଝିଅର ଦାୟିତ୍ୱ ନେବା ପାଇଁ ମଧ୍ୟ ପରିବାରରୁ କେହି ଆସି ପାରିନଥାନ୍ତି। ଏତିକି ବେଳେ ମଣିଷ ପଣିଆ ଦେଖାଇ ସହାୟତା ପାଇଁ ଆଗେଇ ଆସିଥିଲେ ମହିଳା କନେଷ୍ଟବଳ ବାସନ୍ତୀ ଚୌଧୁରୀ । କଅଁଳା ଶିଶୁକୁ କାଖେଇ ପରୀକ୍ଷା ଶେଷ ହେବା ଯାଏଁ ନିଜ ପାଖରେ ରଖି ଯତ୍ନ ନେଇଥିଲେ କନେଷ୍ଟବଳ ବାସନ୍ତୀ ଚୌଧୁରୀ। ଛୁଆଟିକୁ ଭୋକ ଲାଗିବାରୁ ତାକୁ ନିଜ କ୍ଷୀର ମଧ୍ୟ ପିଆଇଥିଲେ। ପିଲାଟି କ୍ଷୀର ପିଇ ବାସନ୍ତୀଙ୍କ କୋଳରେ ଶୋଇ ଯାଇଥିଲା। ପରୀକ୍ଷା ସରିବା ପରେ ବାସନ୍ତୀଙ୍କ ପାଖରେ ପହଞ୍ଚିଥିଲେ ଝିଅର ମା ଓ ଝିଅକୁ ନେଇ ଘରକୁ ଫେରିଥିଲେ। ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରି ଟ୍ୱିଟ୍ କରିଛି ମାଲକାନଗିରି ପୁଲିସ। ଉଭୟ ମହିଳା କନେଷ୍ଟବଳ ଓ ପ୍ରତିକୂଳ ପରିସ୍ଥିତିରେ କନେଷ୍ଟବଳ ପରୀକ୍ଷା ଦେବାକୁ ଆସିଥିବା ମହିଳାଙ୍କୁ ପ୍ରଶଂସା କରିଛି ଜିଲ୍ଲା ପୁଲିସ। ଏ ବିଷୟରେ ପଚାରିବାରୁ ବାସନ୍ତୀ ଚୌଧୁରୀ କହିଛନ୍ତି ଯେ, ମୁଁ ଗୋଟିଏ ମା’। ମୋର ଗୋଟିଏ ଛୁଆ ଅଛି। ଛୁଆଟିକୁ ତାର ମା’ ପରୀକ୍ଷା ଦେବାକୁ ସାଙ୍ଗରେ ଧରି ଆସିଥିଲା। ହେଲେ ଛୁଆଟି କାନ୍ଦୁଥିବାରୁ ତାର ମା’ ପରୀକ୍ଷା ଦେବାକୁ ଯାଇପାରୁନଥିଲା। ମୁଁ ଛୁଆଟିକୁ କୋଳେଇ ଆଣିଥିଲି। ଛୁଆଟିକୁ ତୁନି କରିବା ସହ ତାକୁ କ୍ଷୀର ଦେଇ ପାଖରେ ରଖିଥିଲି। ପରୀକ୍ଷା ସରିବା ତାର ମା’ ମୋ ପାଖରୁ ଛୁଆଟିକୁ ନେଇଯାଇଥିଲେ।