ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପାରମ୍ପାରିକ ଓଷା । ଏହାକୁ ଭାଲୁକୁଣି ଓଷା ଓ ଢିଙ୍କି ଓଷା ବୋଲି ମଧ୍ୟ କୁହାଯାଏ । ଯାହାକୁ ଝିଅ ମାନେ ନିଜ ଭାଇ ମାନଙ୍କର ସୁରକ୍ଷା ପାଇଁ ପାଳନ କରି ଥାଆନ୍ତି l ଓଡ଼ିଶାର ଗାଁ ଗହଳି ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଖୁଦୁରୁକୁଣୀ ଓଷା ପାଳିତ ହୋଇଥାଏ l ଏହି ପୂଜା ରେ ମା ମଙ୍ଗଳା ଙ୍କୁ ବିଧିବିଧାନ ଭାବରେ ପୂଜା କରାଯାଏ l ଏହି ପୂଜା ଟିକୁ ଗହ୍ମା ପୂର୍ଣ୍ଣିମା ପରେ ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଦିନ ବିଧିବଦ୍ଧ ଭାବରେ ଅବିବାହିତା ଝିଅ ମାନେ ପାଳନ କରନ୍ତି l
ଏହି ଓଷା ପୂଜା ଦିନ ଝିଅ ମାନେ ସକାଳୁ ବିଭିନ୍ନ ପ୍ରକାର ଫୁଲ ସଂଗ୍ରହ କରି ଥାଆନ୍ତି ଓ ଗାଧୋଇ ସାରି ନଦୀ କିମ୍ବା ପୋଖରୀ କୂଳରେ ବାଲୁକା ପୂଜି କରି ଥାଆନ୍ତି l ବାଲୁକା ପୂଜା ସେହି ପୂଜା ଯେଉଁଥିରେ ମାଟି ବା କାଦୁଅ ରେ ମନ୍ଦିର ଆକୃତି ତିଆରି କରି ସେଥିରେ ସିନ୍ଦୁର ଚନ୍ଦନ ଫୁଲ ଇତ୍ୟାଦି ଦେଇ ଦୀପ ପ୍ରଜ୍ବଳନ କରନ୍ତି ଓ ଶେଷରେ ପ୍ରଶାଦ ଆକାରରେ ଫଳ ଅର୍ପଣ କରନ୍ତି l ଏହାପରେ ହାତରେ ଗୋଟିଏ ବ୍ରତ ପ୍ରସ୍ତୁତ କରି ସେଥିରେ ୫ ଗଣ୍ଠି ମଙ୍ଗଳା ଙ୍କୁ ସ୍ମରଣ କରି ନିଜ ହାତରେ ଧାରଣ କରନ୍ତି l
କିମ୍ବଦନ୍ତୀ ଅନୁଯାୟୀ ,ଆଗକାଳରେ ଓଡ଼ିଆ ସାଧବ ପୁଅମାନେ ବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହି ସମୟରେ ସାତଜଣ ସାଧବ ଭାଇ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲା ବେଳେ ଘରେ ତାଙ୍କର ଘରଣୀ ଓ ଏକମାତ୍ର ସାନ ଭଉଣୀ ତଅପୋଇ ରହିଥିଲା । କେବଳ ସାନ ଭାଉଜଙ୍କୁ ଛାଡ଼ି ତଅପୋଇର ବାକି ସବୁ ଭାଉଜ ତାହାଙ୍କ ଉପରେ ଅନାଚାର କରୁଥିଲେ । ଅଲିଅଳରେ ବଢ଼ିଥିବା ତଅପୋଇକୁ ଘରକାମରେ, ଛେଳି ଚରେଇବା ପାଇଁ ପଠାଉଥିଲେ । ଭାଇମାନେ ଦୂରରେ ଥିବାରୁ ତଅପୋଇ ଏସବୁ କଥା ଆଉ କାହା ପାଖରେ କହିପାରୁନଥିଲା । ଏପରିକି ଭାତ ବଦଳରେ ଖୁଦ ଖାଇବାକୁ ଦେଉଥିଲେ । କେବଳ ତାହାଙ୍କର ସାନଭାଉଜ ତାହାଙ୍କୁ ଲୁଚାଇ ଲୁଚାଇ ଖାଇବାକୁ ଦେଉଥିଲେ ଓ ସ୍ନେହ କରୁଥିଲେ ।
ଅନେକ ଦିନ ଅନ୍ତେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହେବାରୁ ତଅପୋଇ ନଦୀ ବାଲିରେ ଉପରେ ମାଟିରେ ମୂର୍ତ୍ତି ଗଢ଼ି ଖୁଦୁରୁକୁଣି ଓଷା କରି ଭାଇମାନଙ୍କ ମଙ୍ଗଳ ମନାସି ସହଳ ଘରକୁ ଫେରାଇ ଆଣିବା ନିମନ୍ତେ ଠାକୁରାଣୀଙ୍କ ପାଖରେ ତାହାଙ୍କୁ ମିଳିଥିବା ଖୁଦ ଭୋଗ ଭାବରେ ଦେଇ ପ୍ରାର୍ଥନା କରିଥିଲା । ତାହାଙ୍କର ଡାକ ଶୁଣିପାରି ମା ମଙ୍ଗଳା (ଖୁଦୁରୁକୁଣି) ଭାଇମାନଙ୍କୁ ଘରକୁ ଲେଉଟାଇବା ପାଇଁ ପବନର ଗତି ବଦଲାଇ ଦେଇଥିଲେ । ଭାଇମାନଙ୍କୁ ବନ୍ଦାପନା କରିବା ନିମନ୍ତେ ସବୁ ଭାଉଜ ଯାଇଥିବା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ । ତେବେ ତଅପୋଇ ନ ଆସିଲେ ଆମ୍ଭେ ବୋଇତରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ ଧରି ବସିବାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ ଫିଟାଇ କହିଲେ । ଦଣ୍ଡ ସ୍ୱରୁପ କେବଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧବ ବାକି ସମସ୍ତଙ୍କର ନାକ କଟାଇ ଥିଲେ । ଓଡ଼ିଆ ଚଳଣିର ଏହି ଲୋକକଥାକୁ ନେଇ କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭ ମନାସି ଭୋଦୁଅଁ (ଭାଦ୍ରବ) ମାସରେ ଭାଲୁକୁଣି ଓଷା ବା ଖୁଦୁରୁକୁଣି ଓଷା କରିଥାନ୍ତି ।