କର୍ଣ୍ଣାଟକ: ଥରେ ଭାବନ୍ତୁ ଆପଣ ଏକ ଅଜଣା ସ୍ଥାନକୁ ଯାଇଛନ୍ତି, ବାଟ ଜାଣି ନପାରି ଗୁଗୁଲ୍ ମ୍ୟାପ୍ର ସାହାରା ନେଉଛନ୍ତି, ହେଲେ ମ୍ୟାପ୍ ଆପଣଙ୍କୁ ସଠିକ୍ ଦିଗରେ ବାଟ ନ ଦେଖାଇ ମଝି ଜଙ୍ଗଲକୁ ନେଇଯିବ । ଠିକ୍ ଏପରି ଘଟଣା ଘଟିଛି କର୍ଣ୍ଣାଟକରେ । ସୂଚନା ମୁତାବିକ ବିହାରରୁ ଗୋଆ ଯାଉଥିଲେ ଏକ ପରିବାର । ସଠିକ୍ ବାଟ ପାଇବା ପାଇଁ ସେମାନେ ଗୁଗୁଲ୍ ମ୍ୟାପର ଭରସା ନେଇଥିଲେ । ହେଲେ ମ୍ୟାପ୍ ଭୁଲ ଦିଗ ଆଡକୁ ଦର୍ଶାଇ ସେମାନଙ୍କୁ ଜଙ୍ଗଲ ମଧ୍ୟକୁ ନେଇଯାଇଛି । ଘନ ଜଙ୍ଗଲ ସାଙ୍ଗକୁ ମୋବାଇଲ ନେଟୱର୍କ ନ ଥିବା କାରଣରୁ ପୂରା ପରିବାରକୁ ଜଙ୍ଗଲରେ ରାତି କାଟିବାକୁ ପଡିଛି । ପରଦିନ ସକାଳେ ପ୍ରାୟ ୪ କିଲୋମିଟର ଯିବା ପରେ ମୋବାଇଲ ନେଟୱାର୍କ ପାଇଥିଲେ । ଏହାପରେ ଜରୁରୀ କାଳୀନ ହେଲଲାଇନ୍ ନମ୍ବରରେ କଲ କରିବା ପରେ ପୋଲିସ ସେମାନଙ୍କ ନିକଟରେ ପହଞ୍ଚିଥିଲା ।
ଗତକିଛି ଦିନ ତଳେ ଗୁଗୁଲ୍ ମ୍ୟାପକୁ ଭରସା କରି ତିନି ଜଣଙ୍କ ଜୀବନ ଯାଇଥିଲା, ଗୁଗୁଲ ମ୍ୟାପକୁ ଭରସା କରି ରାତିରେ କାର୍ ଯୋଗେ ଯାଉଥିବା ୩ ଜଣ ସାଙ୍ଗ ଏକ ନିର୍ମାଣଧୀନ ପୋଲ ଉପରକୁ ଚଢିଯାଇଥିଲେ । ଫଳରେ ଦ୍ରୁତ ଗତିରେ ଆସୁଥିବା କାରଟି ଭାରସାମ୍ୟ ହରାଇ ନଦୀ ମଧ୍ୟକୁ ଖସିପଡିଥିଲା । ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଘଟଣା ବିତିବାର କିଛିଦିନ ନପୂରୁଣୁ ପୁଣିଥରେ ଆସିଛି ଗୁଗୁଲ ମ୍ୟାପ୍ ଆଉ ଏକ କାହାଣୀ ।
ଅଧିକ ପଢନ୍ତୁ: ପ୍ଲେସ୍ମେଣ୍ଟ ସିଜିନ୍ରେ ଆଇଆଇଟିରେ ଚାକିରି ବର୍ଷା, ଆଇଆଇଟିରୁ ପିଲା ନେବାକୁ କ୍ୟାମ୍ପସରେ ଡେରା ପକାଉଛନ୍ତି ନାମୀଦାମୀ କମ୍ପାନୀ