ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବିଶ୍ୱାସଘାତକ କହିଥିବା କମେଡ଼ିଆନ୍ କୁନାଲ କାମରା ବୟାନକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଶିବ ସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କାମରାଙ୍କ ସପକ୍ଷରେ ବାହାରିଛନ୍ତି । କୁନାଲ କାମରା କିଛି ବି ଭୁଲ କହି ନାହାଁନ୍ତି ବୋଲି ମତ ରଖିଛନ୍ତି ଉଦ୍ଧବ ।
ଉଦ୍ଧବ ଠାକରେ କୁନାଲଙ୍କ ସମର୍ଥନ କରି କହିଛନ୍ତି, “ଯିଏ ବିଶ୍ୱାସଘାତକ...ସିଏ ବିଶ୍ୱାସ ଘାତକ । ଏହା କାହା ଉପରେ ଆକ୍ରମଣ କରିବା ଭଳି କଥା ନୁହେଁ । ଆପଣ ସମ୍ପୂର୍ଣ୍ଣ ଗୀତ ଶୁଣନ୍ତୁ ଏବଂ ଅନ୍ୟକୁ ଶୁଣାନ୍ତୁ । ଷ୍ଟିଡିଓରେ ଭଙ୍ଗାରୁଜା ନେଇ ସେ କହିଛନ୍ତି ଯେ ଏଥିରେ ଶିବସେନାର କୌଣସି ନେଣ ଦେଣ ନାହିଁ । ଏହାର ବିଶ୍ୱାସଘାତକ ସେନାର କାମ ଅଟେ, ଯାହାର ରକ୍ତରେ ବିଶ୍ୱାସଘାତକତା ରହିଛି, ସିଏ କେବେବି ଶିନସୈନିକ ହୋଇପାରିବ ନାହିଁ”।
ଅନ୍ୟପକ୍ଷରେ ଶିବସେନା ନେତା ସଂଜୟ ନିରୂପଣ ଆରୋପ ଲଗାଇଛନ୍ତି ଯେ ଯେଉଁଠାରେ ଏହି ଗୀତ ସୁଟିଂ କରାଯାଇଛି, ତାହାର ବୁକିଂ ଟଙ୍କା ଉଦ୍ଧବ ଠାକରେ ବାସଭବନରୁ ଆସିଛି । ସେଥିପାଇଁ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ୍ କରାଯାଇଛି । ଏକାନାଥ ସିନ୍ଦେଙ୍କୁ ମହାରାଷ୍ଟ୍ର ଜନତା ଆଶୀର୍ବାଦ ଦେଇଛନ୍ତି । କିନ୍ତୁ କୁନାଲ କାମରାଙ୍କୁ ଉଦ୍ଧବ ଠାକରେ ଏବଂ ସଂଜୟ ରାଉତ ଟଙ୍କା ଦେଇଥିବାରୁ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, କୁନାଲ ଏକ କମେଡ଼ି ଶୋରେ ଏକନାଥ ସିନ୍ଦେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗୀତ ବୋଲିଥିଲେ । ଏମିତିକି ସେ ତାଙ୍କ ଗୀତରେ ଏକନାଥଙ୍କୁ ବିଶ୍ୱାସଘାତକ ମଧ୍ୟ କହିଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।