ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଶୁକ୍ରବାର ଶୁଭ ହୋଇଯାଇଛି । କେଜ୍ରିୱାଲଙ୍କୁ ସର୍ବୋଚ୍ଚ ଅଦାଲତରୁ ଆଶ୍ୱସ୍ତି ମିଳିଛି । ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଫଳରେ ୧୭୭ ଦିନ ପରେ ତିହାର ଜେଲରୁ ମୁକୁଳିବେ ଅରବିନ୍ଦ ।
ଶୁକ୍ରବାର ସର୍ବୋଚ୍ଚ ଅଦାଲତ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୧୦ ଲକ୍ଷ ଟଙ୍କା ଜୋରିମାନା ଏବଂ କିଛିଟା ସର୍ତ୍ତରେ ତାଙ୍କୁ ଜାମିନ ଦେଇଛନ୍ତି କୋର୍ଟ । ସେ ସାର୍ବଜନୀକ ଟିପ୍ପଣୀ କରି ପାରିବେ ନାହିଁ ଏବଂ ଏହା ସହିତ ସେ ଇଡିକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସର୍ତ୍ତ ରଖାଯାଇଛି ।
ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ସୂର୍ଯ୍ୟକାନ୍ତ ଓ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ସେପ୍ଟେମ୍ବର ୫ ତାରିଖରେ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ । ସିବିଆଇର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କେଜ୍ରିଓ୍ଵାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ମୋକଦ୍ଦମା ଲଢ଼ିଥିଲେ ।
ତେବେ ଆଜି ସନ୍ଧ୍ୟା ସୁଦ୍ଧା କେଜ୍ରିୱାଲ ତିହାର ଜେଲରୁ ମୁକୁଳିବାର ସମ୍ଭାବନା ରହିଛି । ସମସ୍ତ କାଗଜପତ୍ର କାମ ସରିବା ପରେ ସେ ଜେଲରୁ ମୁକୁଳିବେ । ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ଆମ୍ ଆଦମୀ ପାର୍ଟିରେ ଖୁସିର ଲହରି ଖେଳିଯାଇଛି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅରବିନ୍ଦଙ୍କୁ ଗିରଫ କରିଥିଲା । ୧୦ ଦିନର ଜେରା ପରେ ୧ ଏପ୍ରିଲ୍ ରେ ତାଙ୍କୁ ତିହାର ଜେଲକୁ ପଠାଇ ଦିଆଯାଇଥିଲା । ମେ ୧୦ରେ ୨୧ ଦିନ ପାଇଁ ନିର୍ବାଚନ ପ୍ରଚାର ପାଇଁ ଜାମିନ ମିଳିଥିଲା । ଏହା ପରେ ଜୁନ୍ ୨୬ରେ ସିବିଆଇ ଗିରଫ କରିଥିଲା । ଅଗଷ୍ଟ ୧୪ ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଥିଲେ ଏବଂ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ତାଙ୍କ ଆବେଦନ ଉପରେ ତଦନ୍ତକାରୀ ସଂସ୍ଥାର ଜବାବ ମାଗିଥିଲେ । ଏହି ମାମଲାରେ ସିବିଆଇ ଦ୍ୱାରା ଜାମିନ ନାମଞ୍ଜୁର କରିବା ଏବଂ ଗିରଫ କରିବା ବିରୋଧରେ କେଜ୍ରିୱାଲ ଦୁଇଟି ପୃଥକ ପିଟିସନ ଦାଖଲ କରିଥିଲେ । ଅଗଷ୍ଟ ୫ ରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଗିରଫଦାରୀକୁ ବଜାୟ ରଖିଥିବା ଆଦେଶକୁ ସେ ଚ୍ୟାଲେଞ୍ଜ କରିଥିଲେ ।
ତେବେ ଏହି ମାମଲରେ ପୂର୍ବର ଆପ୍ ସାଂସଦ ସଂଜୟ ସିଂହ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିୟାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିସାରିଛନ୍ତି ।