କଟକ: ବିଜେଡ଼ିର ଦଳୀୟ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଏହାରି ଭିତରେ ଦଳର ଜଣେ ବିଧାୟକ ବିଜେଡ଼ିକୁ ପୁଣି ଭରା ସଭାରେ ସମାଲୋଚନା କରିଛନ୍ତି । ବିଜେଡିରେ ଥିବା ବିଭୀଷଣ ରୂପୀ ନେତାଙ୍କ ଉପରେ ବିସ୍ଫୋରକ ବୟାନ ଦେଇଛନ୍ତି ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ । ଦଳ ଭିତରେ ଥିବା ବିଭୀଷଣଙ୍କୁ ସେ ଟାର୍ଗେଟ୍ କରିଛନ୍ତି । ତେବେ ସେ କାହା ଉପରେ ବର୍ଷିଛନ୍ତି ତାହା ସ୍ପଷ୍ଟ ହୋଇନି ।
ବୁଧବାର କଟକରେ ଆୟୋଜିତ ସଦସ୍ୟତା ଅଭିଯାନରେ ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି ଯେ ବିଜେଡିର ଦୁଇ ଜଣ ସରକାର ଚଳାଉଥିଲେ । କଟକରେ କୋଟି କୋଟି ଟଙ୍କାର ପ୍ରକଳ୍ପ କାମ ହୋଇଛି । କିନ୍ତୁ ସବୁ କିଛି ସେ ଦୁଇ ଜଣଙ୍କ ଇସାରାରେ ହେଉଥିଲା। ଯେତେବେଳେ ସେ ଦୁଇ ଜଣ ସବୁ କିଛି ବୁଝୁଥିଲେ, ଦଳୀୟ କର୍ମୀଙ୍କୁ କିଭଳି କାମ ମିଳିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ଦଳ ଭିତରେ ବିଭୀଷଣ ଅଛନ୍ତି । ୨୦୧୯ ଓ ୨୦୨୪ରେ କଟକ ଚୌଦ୍ୱାରରେ ବିଜେଡିକୁ ହରାଇବା ପାଇଁ ନିଜ ଠାରୁ ୩ ବର୍ଷ ବଡ଼ ବିଜେଡିର ଜଣେ ଯୁବ ନେତା କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏତେ ଟଙ୍କା ସେ କେଉଁଠୁ ଆଣିଲେ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି ।