କର୍ଣ୍ଣାଟକରେ କାଲି ୧୫ଟି ଆସନରେ ଉପ ନିର୍ବାଚନ, ବିଜେପିକୁ ସରକାର ବଞ୍ଚାଇବାକୁ ହେଲେ ଜିତିବାକୁ ପଡ଼ିବ ୬ ଆସନ
Khabar Odisha:politics-odisha-karnataka-by-polls-for-15-assembly-seats-if-bjp-stay-in-power-will-win-at-least-6-seat
ବେଙ୍ଗାଲୁରୁ, ଡିସେମ୍ବର୦୪(ଖବର ଓଡ଼ିଶା):

କର୍ଣ୍ଣାଟକରେ ୧୫ ବିଧାନସଭା ଆସନରେ ଗୁରୁବାର ଉପ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ରାଜ୍ୟରେ ବିଜେପି ଶାସିତ ବିଏସ ୟେଦୁରପ୍ପା ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ମାତ୍ର ଏହି ଉପ ନିର୍ବାଚନରେ କମ ପ୍ରତିଶତ ମତଦାନ ହେବାର ସମ୍ଭାବନା ରହିଛି। ବିଜେପିକୁ ରାଜ୍ୟର କ୍ଷମତାରେ ରହିବା ଲାଗି ୨୨୫ ସଦସ୍ୟ ବିଧାନସଭାର ଏହି ୧୫ଟି ଆସନରୁ ୬ଟିରେ ଜିତିବା ଜରୁରୀ ହୋଇ ପଡ଼ିଛି। ଗୁରୁବାର ସକାଳ ସାତଟାରୁ ମତଦାନ ଆରମ୍ଭ ହେବ। ମୋଟ୍ ୩୭.୭୮ ଲକ୍ଷ ମତଦାନ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ହୋଇ ସାରିଛି।

୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ ପରେ  ଖାଲି ପଡ଼ିଥିବା ପଦରେ ଉପନିର୍ବାଚନ ହେଉଛି। ଏହି ବିଧାୟକଙ୍କ ମଧ୍ୟରେ କଂଗ୍ରେସ ଓ  ଜେଡିଏସର ବିଦ୍ରୋହୀ ନେତା ସାମିଲ। ଏହି ବିଧାୟକଙ୍କ ବିଦ୍ରୋହ କାରଣରୁ ଜୁଲାଇରେ ଏଚଡି କୁମାରସ୍ଵାମୀଙ୍କ ନେତୃତ୍ଵାଧୀନ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ପତନ ଘଟିଥିଲା ଏବଂ ବିଜେପି କ୍ଷମତାକୁ ଫେରିବାକୁ ମାର୍ଗ ପ୍ରଶସ୍ତ ହୋଇଥିଲା। ସଂଖ୍ୟା ଗରିଷ୍ଠତା ହ୍ରାସ ପାଇବାରୁ ବିଜେପି ସରକାର ଗଠନ କରିପାରିଥିଲା।

ବିଧାନସଭାରେ ସଂପ୍ରତି ବିଜେପିର ୧୦୫ ବିଧାୟକ, କଂଗ୍ରେସର ୬୬ ଓ ଜେଡିଏସର ୩୪ ବିଧାୟକ ଅଛନ୍ତି।  ବିଏସପି ପାଖରେ ଜଣେ ବିଧାୟକ ଅଛି।  ଅଯୋଗ୍ୟ ଘୋଷିତ ୧୩ ବିଧାୟକଙ୍କୁ  ବିଜେପି ନିଜର ପ୍ରାର୍ଥୀ କରିଛି। ଉପ ନିର୍ବାଚନ  ଲାଗି ସୁପ୍ରିମକୋର୍ଟରୁ ଅନୁମତି ମିଳିବା ପରେ ଗତ ମାସରେ ସେମାନେ ବିଜେପିରେ ଯୋଗ ଦେଇଥିଲେ।

ଗୁରୁବାର ଯେଉଁ ୧୫ଟି ଆସନରେ ଉପ ନିର୍ବାଚନ ହେଉଛି, ସେଥିରୁ ୧୨ଟି କଂଗ୍ରେସ ଏବଂ ତିନୋଟି ଜେଡିଏସ କବଜାରେ ରହିଛି। ବିଜେପିର ଜଣେ ପଦାଧିକାରୀ କହିଛନ୍ତି, ଯେ କୌଣସି ଉପ ନିର୍ବାଚନରେ  ମତଦାନ କମ ହୋଇଥାଏ। ରାଜ୍ୟରେ ଏହି ଉପ ନିର୍ବାଚନ ଅକ୍ଟୋବର ୨୧ରେ ହେବାର ଥିଲା, ମାତ୍ର ନିର୍ବାଚନ ଆୟୋଗ ଏହାକୁ ଡିସେମ୍ଵର ୫କୁ ଘୁଞ୍ଚାଇ ଥିଲେ। କାରଣ ସର୍ବୋଚ୍ଚ ନ୍ୟାୟାଳୟ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ଆବେଦନର ଶୁଣାଣି କରିବାର ଥିଲା।

Subscribe

National International State Sports Entertainment