୨ ବର୍ଷ ଲାଗି ଜେଏନୟୁକୁ ବନ୍ଦ କର, ବଦମାସ ଛାତ୍ରଙ୍କୁ ଜେଲରେ ଭର୍ତ୍ତି କର: ସୁବ୍ରମଣ୍ୟମ ସ୍ଵାମୀ
Khabar Odisha:politics-odisha-jnu-protest-high-level-committee-constituted-under-jsa-dispute-resolution-subramanian-swamy
ନୂଆଦିଲ୍ଲୀ, ନଭେମ୍ବର୧୮(ଖବର ଓଡ଼ିଶା):

ଜବାହରଲାଲ ନେହରୁ ବିଶ୍ଵ ବିଦ୍ୟାଳୟ(ଜେଏନୟୁ)ରେ ହୋଷ୍ଟେଲ ଫି ବୃଦ୍ଧି  ପ୍ରତିବାଦରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉ ନାହିଁ। ଏହା ମଧ୍ୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ(ଏଚଆରଡି) ତିନି ଜଣିଆ ଏକ କମିଟି ଗଠନ କରିଛି, ଯିଏ ଜେଏନୟୁର ସାଧାରଣ କାର୍ଯ୍ୟପ୍ରଣାଳୀ ସ୍ଵାଭାବିକ କରିବା ଉପାୟ ବାହାର କରିବେ। ଅନ୍ୟପଟେ ଜୋରଦାର ବିରୋଧ ପ୍ରଦର୍ଶନ କାରଣରୁ ମେଟ୍ରୋ ଷ୍ଟେସନକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଦିଲ୍ଲୀ ପୋଲିସର ଆଦେଶ ପରେ ଉଦ୍ୟୋଗ ଭବନ, ଲୋକ କଲ୍ୟାଣ ମାର୍ଗ, ସେଣ୍ଟ୍ରାଲ ସେକ୍ରେଟେରିଏଟ ଓ ପଟେଲ ଛକ ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି।

ଜେଏନୟୁରେ ପ୍ରଶାସନ ଓ ଛାତ୍ରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଜାରି ବିବାଦର ସମାଧାନ ଲାଗି ସରକାର  ବିଶ୍ଵ ବିଦ୍ୟାଳୟ ଆୟୋଗ(ୟୁଜିସି)ର ପୂର୍ବତନ ପ୍ରଫେସର ଭିଏସ ଚୌହାନଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ କମିଟି ଗଠନ କରାଯାଇଛି। ଏହି ସମିତି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ଜେଏନୟୁ ବିବାଦର ସମାଧାନ ଲାଗି ରାସ୍ତା ବାହାର କରିବେ। ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ଵାମୀ ଉପଦ୍ରବୀ ଛାତ୍ରଙ୍କ କଠୋର ସମାଲୋଚନା କରି କହିଛନ୍ତି ଯେ, ଏହି ସବୁ ବଦମାସ ଗୁଡ଼ାକ ଏବଂ ସେମାନଙ୍କୁ ଜେଲରେ ଭର୍ତ୍ତି କରିବାର ଆବଶ୍ୟକତା ରହିଛି। ସ୍ଵାମୀ କହିଛନ୍ତି ଜେଏନୟୁକୁ ୨ ବର୍ଷ ଲାଗି ବନ୍ଦ କରି ଛାତ୍ରମାନଙ୍କୁ ଅନ୍ୟ କୌଣସି ବିଶ୍ଵ ବିଦ୍ୟାଳୟକୁ ସ୍ଥାନାନ୍ତର କରିବା ଉଚିତ୍।

ସରକାର ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ଜେଏନୟୁରେ ପାଠପଢ଼ା କେମିତି ସ୍ଵାଭାବିକ କରାଯିବ ଏହା ଉପରେ ସମିତି  ବିଚାର ବିମର୍ଶ କରି ନିଜର ରିପୋର୍ଟ ପ୍ରଦାନ କରିବେ। ଏହି କମିଟିରେ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପରିଷଦ(ଏସଆଇସିଟିଇ)ର ଅଧ୍ୟକ୍ଷ ପ୍ରୋଫେସର ଅନିଲ ସହସ୍ରବୁଦ୍ଧି ଓ ୟୁଜିସିର ସଚିବ ପ୍ରୋଫେସର ରଜନୀତ ଜୈନ ଅଛନ୍ତି।

ସମିତି ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଛାତ୍ର ଓ ଜେଏନୟୁ କର୍ତ୍ତୃପକ୍ଷ ମଧ୍ୟରେ ତୁରନ୍ତ ଆଲୋଚନା ଆରମ୍ଭ କରିବ। ମାନବ ସମ୍ଵଳ ବିକାଶ ମନ୍ତ୍ରଣାଳୟର ଶିକ୍ଷା ସଚିବ ଆର ସୁବ୍ରମଣ୍ୟମ କହିଛନ୍ତି ଯେ, ସମିତି ଜେଏନୟୁ ଛାତ୍ର ଓ ପ୍ରଶାସନ ସହିତ ବିଚାର ବିମର୍ଶ କରି ସବୁ ସମସ୍ୟାର ଶାନ୍ତିପୂର୍ଣ୍ଣ ରାସ୍ତା ବାହାର କରିବ।

ଏହା ପରେ ମଧ୍ୟ ଛାତ୍ରଙ୍କ ସଂସଦକୁ ଶୋଭାଯାତ୍ରା ଜାରି ରହିଛି। ସଂସଦ ଭବନ ଆଡ଼କୁ ଯାଉଥିବା ଶୋଭାଯାତ୍ରାକୁ ପୋଲିସ ରୋକିବା ପରେ ମଧ୍ୟ ଜେଏନୟୁ ଛାତ୍ର ନିଜର ରାସ୍ତା ବଦଳାଇଛନ୍ତି। ସେମାନେ ଏବେ ବସନ୍ତି ବିହାର ଦେଇ ସଂସଦ ଅଭିମୁଖେ ଯାତ୍ରା କରିବାକୁ ଉଦ୍ୟମ କରୁଛନ୍ତି।

Subscribe

National International State Sports Entertainment