ବିଜେପୁର ନିର୍ବାଚନରେ ବିଜେଡିକୁ ସମର୍ଥନ କରିବି, ବିଜେପିକୁ ଉଚିତ୍ ଜବାବ ଦେବି: ଅଶୋକ
Khabar Odisha:politics-odisha-ashok-panigrahi-declared-to-support-bjd-in-Bijepur-by-election
ବିଜେପୁର,ଅକ୍ଟୋବର୧୩(ଖବର ଓଡ଼ିଶା):

 ଗତକାଲି ବିଜେପି ଛାଡ଼ିଥିବା ଅଶୋକ  ପାଣିଗ୍ରାହୀ ବିଜେପୁର ବିଧାନସଭା ଉପ ନିର୍ବାଚରେ ଶାସକ ବିଜୁ ଜନତା ଦଳକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି। ସମର୍ଥକଙ୍କ ସହ ପରାମର୍ଶ  ପରେ ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଦିନେ ବିଜେପୁର ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳର ହାତ ଛାଡ଼ି ପଦ୍ମ ଧରିଥିବା ଅଶୋକ ପାଣିଗ୍ରାହୀ ଏବେ ସେହି ବିଜେଡ଼ିକୁ ସମର୍ଥନ ଦେବାକୁ ଯାଉଛନ୍ତି। ଅଶୋକଙ୍କ ଏହି ପଦକ୍ଷେପ  ବିଜେପି ପାଇଁ ଲାଭ ହେବ ନା କ୍ଷତି ହେବ ତାହା ନିର୍ବାଚନ ବେଳେ ଜଣା ପଡ଼ିବ। 

ସେ କହିଛନ୍ତି ଯେ, ବିଜେପୁର ନିର୍ବାଚନରେ ବିଜେଡିକୁ ସମର୍ଥନ ଦେଇ ବିଜେପିକୁ ଉଚିତ୍ ଜବାବ ଦେବୁ। ନିଜର ସମର୍ଥକ ସହିତ ବିଜେଡିର ପ୍ରଚାର କରିବୁ। ବିଜେପୁରର ବିକାଶ ପାଇଁ ଶାସକ ଦଳକୁ ସମର୍ଥନ ଦେବୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଏକଛତ୍ରବାଦ ନୁହଁ। ସମର୍ଥକଙ୍କ ମତାମତ ନେଇ ଏଭଳି ନିଷ୍ପତ୍ତି ନେଇଛି। ତେବେ ସମର୍ଥନ ଅସ୍ଥାୟୀ ଏବଂ ଏହା କେବଳ ବିଜେପୁର ଉପ ନିର୍ବାଚନ ପର୍ୟ୍ୟଳନ୍ତ ସୀମିତ ବୋଲି ସେ କହିଛନ୍ତି। 

ଉଲ୍ଲେଖଯୋଗ୍ୟ, ଚଳିତ ବିଜେପୁର ଉପ ନିର୍ବାଚନରେ ପ୍ରାର୍ଥୀତ୍ୱ ନ ମିଳିବା କାରଣରୁ ଦଳ ବିରୋଧରେ ଅଣଦେଖାର ଅଭିଯୋଗ ଆଣି ଅଶୋକ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ। ବିଜେପୁର ଉପ ନିର୍ବାଚନରେ ବିଜେପି ସନତ ଗଡ଼ତିଆଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ଅସନ୍ତୋଷ ଥିବା ଅଶୋକ ବାରମ୍ବାର ଗଣମାଧ୍ୟମ ଆଗରେ ବିଜେପି ବିରୋଧରେ ଅଣଦେଖା କରୁଥିବା ଅଭିଯୋଗ କରି ଆସୁଥିଲେ। 

ଗତ ସାଧାରଣ ନିର୍ବାଚନ ଓ ଉପ ନିର୍ବାଚନରେ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇ ନଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୦୧୮ ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଅଶୋକ ପାଣିଗ୍ରାହୀ ଇସ୍ତଫା ଦେଇଥିଲେ । ଏହା ପରେ ସେ ୨୦୧୭ ଅକ୍ଟୋବର ୨ରେ ବିଜେପିରେ ଯୋଗ ଦେଇଥିଲେ ।

Subscribe

National International State Sports Entertainment