ଭୁବନେଶ୍ୱର: ବିଜେପି ପରେ ବିଜୁ ଜନତା ଦଳ ଆରମ୍ଭ କରିଛି ସଦସ୍ୟତା ଅଭିଯାନ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ନବୀନ ବିଜେପିକୁ ପ୍ରତ୍ୟେକ୍ଷଭାବେ ସମାଲୋଚନା କରିଛନ୍ତି । କିଛି ଦଳ ମିସଡ୍ କଲ୍ କରି ସଦସ୍ୟ ସଂଗ୍ରହ କରୁଛନ୍ତି ବୋଲି ନବୀନ କହିଛନ୍ତି । ଯାହାର କଡ଼ା ଜବାବ ରଖିଛନ୍ତି ବିଜେପି ଉପ ସଭାପତି ଗୋଲକ ମହାପାତ୍ର ଏବଂ ବିଧାୟକ ବାବୁ ସିଂ ।
ସଦସ୍ୟତା ସଂଗ୍ରହ ଅଭିଯାନ ଶୁଭାରମ୍ଭ ବେଳେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି କିଛି ଦଳ ମିସଡ୍ କଲ୍ କରି ସଦସ୍ୟ ସଂଗ୍ରହ କରୁଛନ୍ତି । କିନ୍ତୁ ବିଜେଡ଼ି ଏସବୁର ବହୁ ଉର୍ଦ୍ଧ୍ୱରେ ରହିଛି । ସେବା ଏବଂ ସ୍ୱାଭିମାନ ହେଉଛି ବିଜେଡ଼ିର ଆଦର୍ଶ ବୋଲି ସେ କହିଛନ୍ତି । ଓଡ଼ିଶା ବାସୀଙ୍କ ସେବା, ସ୍ୱାଭିମାନର ସୁରକ୍ଷା ଏବଂ ସ୍ୱାର୍ଥ ବିଜୁ ବାବୁ ଅନେକ କିଛି କରିଛନ୍ତି । ସେ ଆମ ପାଇଁ ପ୍ରେରଣା । ବିଜେଡ଼ି ସରକାର ଅନେକ ଯୋଜନା କରିଛନ୍ତି । ଭାରତ ସରକାର ରାଜ୍ୟ ସରକାରଙ୍କ ଯୋଜନାକୁ ଗ୍ରହଣ କରିଛନ୍ତି ବୋଲି ନବୀନ କହିଛନ୍ତି । ବିଜେଡ଼ି କେବେ ଭୋଟ୍ ବ୍ୟାଙ୍କ ଆମର ଲକ୍ଷ୍ୟ ନ ଥିଲା କେବଳ ବିକାଶ ହିଁ ଦଳର ଲକ୍ଷ୍ୟ ଥିଲା ବୋଲି ନବୀନ କହିଛନ୍ତି ।
ଅନ୍ୟପକ୍ଷରେ ନବୀନଙ୍କ ଏପରି ଭାଷଣର କଡ଼ା ଜବାବ ରଖିଛନ୍ତି ଗୋଲକ ମହାପାତ୍ର । ସେ କହିଛନ୍ତି ଯିଏ ମିସ କଲ୍ କରି ସଦସ୍ୟ ସଂଗ୍ରହ କରୁଛନ୍ତି ସେଇଟା ତାଙ୍କର ନିଜ ମାମଲା । ବିଜେଡ଼ି ୨୫ ବର୍ଷ ଶାସନରେ ରହିଲା ପରେ ତାଙ୍କୁ ଲୋକ ପ୍ରତ୍ୟାଖାନ କରିଲେ । କିନ୍ତୁ ବିଜେପି ପ୍ରତ୍ୟେକ ଘରେ ଘରେ ଯାଇ ଲୋକଙ୍କୁ ଭେଟି ସଦସ୍ୟ ସଂଗ୍ରହ କରୁଛନ୍ତି । ସେହିପରି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ଆମର ଦଳୀୟ କଥା । ଆମେ କେମିତି ସଦସ୍ୟତା ଗ୍ରହଣ କରୁଛୁ ବିଜେଡ଼ି ଚାହିଁଲେ ଆମେ ତାଙ୍କୁ କରିକି ଦେଖାଇ ଦେବୁ । ଯଦି ନବୀନ ବାବୁ ଚାହିଁବେ ତାଙ୍କ ପାଖକୁ ଯାଇ ସଦସ୍ୟ ସଂଗ୍ରହ କରିବୁ ବୋଲି ବାବୁ ସିଂହ କହିଛନ୍ତି ।