ଝାରସୁଗୁଡ଼ା: ପୂର୍ବତନ ମନ୍ତ୍ରୀ ତଥା ଝାରସୁଗୁଡାରେ ବହୁ ଚର୍ଚ୍ଚିତ ନବ ଦାସ୍ ହତ୍ୟାକାଣ୍ଡ ମାମଲାରେ ପୁଣି ଖୋଲିବ ଫାଇଲ । ହତ୍ୟାକାଣ୍ଡର ଦୀର୍ଘ ୨ ବର୍ଷ ପରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ଝିଅ ଦୀପାଳି ଦାସ । ନବ ଦାସଙ୍କ ଝିଅ ଏବେ ସନ୍ଦେହ ପ୍ରକାଶ କରୁଛନ୍ତି ଯେ ଏହାର ତଦନ୍ତ ଆଗକୁ ବଢ଼ି ପାରୁନାହିଁ ଏବଂ କାହିଁକି ନବ ଦାସଙ୍କୁ ହତ୍ୟା କରାଗଲା ତାହାର କାରଣ ଜାଣିବାକୁ ଚାହିଁଛନ୍ତି ଦୀପାଳି । ସେଥିପାଇଁ ତାଙ୍କ ବାପାଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିବାକୁ ସେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ବହୁ ଚର୍ଚ୍ଚିତ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା କାଣ୍ଡକୁ ଆଉ କେଇଟା ଦିନ ପରେ ଦୁଇ ବର୍ଷ ପୂରଣ କରିବ । କିନ୍ତୁ ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ହଟିପାରି ନାହିଁ । ହତ୍ୟାକାରୀ ଗୋପାଳ କାହିଁକି ଏମିତି କରିଛି ତାହା ଏବେବି ରାଜ୍ୟବାସୀଙ୍କ ମନରେ ବଡ଼ ପ୍ରଶ୍ନ ହୋଇ ରହିଛି । ନବ ଦାସଙ୍କ ୨ୟ ଶ୍ରାଦ୍ଧ ବାର୍ଷିକୀର ମାତ୍ର ଦୁଇ ସପ୍ତାହ ପୂର୍ବରୁ ପୁଣି ଥରେ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ରାଜନୀତି ପାଣିପାଗ ସରଗରମ ରହିଛି । କାରଣ ତାଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିଛି । ବିଭିନ୍ନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦୀପାଳି କହିଛନ୍ତି ଯେ ତାଙ୍କ ବାପାଙ୍କ ହତ୍ୟା କାଣ୍ଡରେ ସିବିଆଇ ତଦନ୍ତ ହେବା ଜରୁରୀ । ରାଜ୍ୟ ସରକାର ସିବିଆଇ ତଦନ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ତେବେ ଏଠାରେ ଏକ ପ୍ରଶ୍ନ ଉଙ୍କି ମାରୁଛି, ଯେଉଁ ଦୀପାଳି ଦାସ ଆଜି ବିଜେପି ସରକାରକୁ ଟାର୍ଗେଟ୍ କରୁଛନ୍ତି କି ତାଙ୍କ ବାପାଙ୍କର ସିବିଆଇ ତଦନ୍ତକୁ ଆଗକୁ ବଢ଼ାନ୍ତୁ, ସେତେବେଳେ ସେହି ଦୀପାଳି ଦାସ ତତ୍କାଳୀନ ବିଜେଡ଼ି ସରକାର ଉପରେ ଆଖି ବୁଜି ବିଶ୍ୱାସ କରି କହିଥିଲେ ଯେ ନବୀନ ସରକାର ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ତଦନ୍ତ ସଠିକ୍ ବାଟରେ ଯିବ । ନବ ଦାସଙ୍କ ଆସନରୁ ବିଧାୟିକା ହୋଇଥିବା ଦୀପାଳି ଦାସ କାହିଁକି ସେତେବେଳେ ଚୁପ୍ ବସିଥିଲେ ? ନିଜ ସରକାର ଥିବାବେଳେ କାହିଁକି ସିବିଆଇ ତଦନ୍ତ ପାଇଁ ଦାବି ଉଠାଇ ନ ଥିଲେ ? ଆଉ ବର୍ତ୍ତମାନ ହଠାତ୍ କାହିଁକି ତାଙ୍କ ବାପାଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି ? ନବ ଦାସ ହତ୍ୟାକାଣ୍ଡ ପଛରେ ଆଉ କିଛି ଷଡ଼ଯନ୍ତ୍ର ଥିବା ନେଇ ପରିବାର ଲୋକଙ୍କ ସନ୍ଦେହ ଥିବା ପଛରେ କ’ଣ କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୨୩ ଜାନୁୟାରୀ ୨୯ ତାରିଖରେ ତତ୍କାଳୀନ ମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଭିଡ ଭିତରେ ବ୍ରଜରାଜନଗରର ଗାନ୍ଧୀ ଛକରେ ଗୁଳି କରି ହତ୍ୟା କରାଯାଇଥିଲା । ଏଏସଆଇ ଗୋପାଳ ଦାସ ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି କରି ନବ ଦାସଙ୍କୁ ହତ୍ୟା କରିଥିଲା । ତେବେ ପୋଲିସ ତୁରନ୍ତ ଗୋପାଳକୁ ଗିରଫ କରିଥିଲା । ଗୋପାଳ ନିଜର ଦୋଷ ସ୍ୱୀକାର କଲା, କିନ୍ତୁ କେହି କିଛି ବୁଝି ପାରିଲେ ନାହିଁ, ଏମିତି କାହିଁକି ହେଲା । ପରେ କ୍ରାଇମବ୍ରାଞ୍ଚ ତଦନ୍ତ ବି ହେଲା, କିନ୍ତୁ ସେ ରହସ୍ୟ ଆଜି ପର୍ଯ୍ୟନ୍ତ ସେମିତି ରହସ୍ୟରେ ହିଁ ରହିଗଲା ।