ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟିର ଉତ୍ତରାଧିକାରୀ କୁହାଯାଉଥିବା ଆକାଶ ଆନନ୍ଦଙ୍କୁ ନେଇ ଦଳ ମୁଖ୍ୟ ମାୟାବତୀ ନିଜର ନିଷ୍ପତି ବଦଳାଇଛନ୍ତି । ସାମ୍ପ୍ରତିକ ସ୍ଥିତିରେ ଆକାଶଙ୍କୁ ଦଳର ଗୁରୁ ଦାୟିତ୍ୱରୁ ଦୂରେଇ ରଖିବାକୁ ମାୟାବତୀ ନିଷ୍ପତି ନେଇଛନ୍ତି । ଆକାଶ ବର୍ତ୍ତମାନ ରାଜନୀତିରେ ଅଭିଜ୍ଞ ହୋଇନ ଥିବାରୁ କେବଳ ଦଳରେ ରହି କାମ କରିବେ ବୋଲି ମାୟାବତୀ ଲକ୍ଷ୍ନୌରେ ଆୟୋଜିତ ଦଳୀୟ ବୈଠକରେ ସ୍ପଷ୍ଟ କରିଦେଇଛନ୍ତି ।
ମାୟାବତୀ ଦଳର ପ୍ରତିଷ୍ଠାତା ମାନ୍ୟବର କାଂଶୀ ରାମଙ୍କ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଯେ କାଂଶୀରାମ ନିଜର ପରିବାର ସଦସ୍ୟଙ୍କୁ ଦଳରେ ସାମିଲ ହେବାକୁ ଅନୁମତି ଦେଇଥିଲେ, କିନ୍ତୁ ନିର୍ବାଚନ ଲଢ଼ିବା କିମ୍ବା ସଂଗଠନର ବଡ଼ ବଡ଼ ପଦ ପଦବୀରେ ରହିବାକୁ ଅନୁମତି ଦେଇନଥିଲେ । ମାୟାବତୀଙ୍କ ଅନୁସାରେ ଆକାଶ ବର୍ତ୍ତମାନ ରାଜନୀତିରେ ଅନଭିଜ୍ଞ ଅଟନ୍ତି । ରାଜନୀତିରେ ବିରୋଧୀଙ୍କ ସାମ୍ନା କରିବାକୁ ହେଲେ ସେଥିରେ ପରିପକ୍ୱତା ଆସିବା ନିତ୍ୟାନ୍ତ ଆବଶ୍ୟକ । ରାଜନୀତିରେ ବିରୋଧୀମାନେ ଦଳକୁ କ୍ଷତି ପହଁଚାଇବାକୁ କଳ, ବଳ, କୌଶଳ ଲଗାଇ ଦେବେ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆକାଶଙ୍କୁ ଦଳର ବଡ଼ ପଦବୀରୁ ଦୂରେଇ ରଖିବାକୁ ପଡ଼ିବ ।
ପ୍ରୋଫାଇଲ୍ ବଦଳାଇଲେ ଆକାଶ
ସେପଟେ ମାୟାବତୀଙ୍କ ଘୋଷଣା ପରେ ଆକାଶ ଆନନ୍ଦ ମଧ୍ୟ ନିଜ ଏକ ଆକାଉଣ୍ଟ ପ୍ରୋଫାଇଲ୍ ପରିବର୍ତ୍ତନ କରିଛନ୍ତି । ସେ ଦଳ ସହ ସଂଯୋଜକ ପଦକୁ ହଟାଇ କାର୍ଯ୍ୟକର୍ତ୍ତା ବୋଲି ଲେଖିଛନ୍ତି । ଖାଲି ସେତିକି ନୁହେଁ ଆକାଶଙ୍କ ଠାରୁ ଜାତୀୟ ସହ ସଂଯୋଜକ ପଦରୁ ମଧ୍ୟ ହଟାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଏହା ପରେ ଆକାଶଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ପୂର୍ବରୁ ହୋଇଛନ୍ତି ବହିଷ୍କାର
ପୂର୍ବରୁ ଅନେକ ଥର ଆକାଶ ଆନନ୍ଦଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି, କିନ୍ତୁ ପରବର୍ତ୍ତୀ ସମୟରେ ସେଗୁଡ଼ିକୁ ପ୍ରତ୍ୟାହାର କରାଯାଇଛି । ୨୦୧୯ରେ ସେ ବିଏସପିର ଜାତୀୟ ସଂଯୋଜକ ଭାବରେ ନିଯୁକ୍ତ ହୋଇଥିଲେ । ୨୦୨୪ ଲୋକସଭା ନିର୍ବାଚନ ସମୟରେ ଆକାଶ ଅନେକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ୨୦୨୪ ମଇ ମାସରେ ସୀତାପୁରରେ ଏକ ସାଧାରଣ ସଭାରେ ତାଙ୍କର ଆକ୍ରମଣାତ୍ମକ ଭାଷଣ ପରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା। ଏହା ପରେ, ମାୟାବତୀ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ । ପରେ ସେ ଦଳକୁ ଫେରିଥିଲେ । ମାର୍ଚ୍ଚ ୨୦୨୫ରେ, ଆକାଶ ଆନନ୍ଦଙ୍କୁ ପୁଣି ଥରେ ଦଳରୁ ବହିଷ୍କାର କରାଯାଇଥିଲା। ପୁଣି ଥରେ ଦଳକୁ ଆକାଶଙ୍କର ପ୍ରତ୍ୟାବର୍ତ୍ତନ ହୋଇଥିଲା । ଅଗଷ୍ଟ ୨୦୨୫ରେ ତାଙ୍କୁ ଜାତୀୟ ସଂଯୋଜକ ପଦବୀରେ ପୁନଃନିଯୁକ୍ତ କରାଯାଇଥିଲା ।