ହଳଦ୍ୱାନୀ: ଉତ୍ତରାଖଣ୍ଡର ହଳଦ୍ୱାନୀଠାରେ ଅନୁଷ୍ଠିତ କଂଗ୍ରେସ ରାଲି ପରେ ସୃଷ୍ଟି ହୋଇଥିବା 'ଶୁଦ୍ଧିକରଣ' ବିବାଦ ଏବେ ତୀବ୍ର ଆଇନଗତ ଓ ରାଜନୈତିକ ମୋଡ଼ ନେଇଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହଳଦ୍ୱାନୀ କୋତୱାଲି ଥାନାରେ ଏକ ଅଭିଯୋଗପତ୍ର ଦାଖଲ କରାଯାଇଛି। ରାହୁଲ ଗାନ୍ଧୀ ଜାତିଗତ ଟିପ୍ପଣୀ ଦେଇ ଜାତି-ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ଅଭିଯୋଗ ଆଣି ଶ୍ରୀରାମ ସେନାର ନେତା ଅମିତ କୁମାର ଏହି ଏତଲା ଦେଇଛନ୍ତି।
ଅଭିଯୋଗକାରୀ ଅମିତ କୁମାର ନିଜକୁ ବାଲ୍ମୀକି (ଅନୁସୂଚିତ ଜାତି) ସମ୍ପ୍ରଦାୟର ବୋଲି ଦର୍ଶାଇ କହିଛନ୍ତି ଯେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ରାଲି ପରେ ରାମଲୀଳା ମଇଦାନରେ ପ୍ରଚୁର ଅଳିଆ ଆବର୍ଜନା ଜମା ହୋଇଥିଲା। ସେହି ପବିତ୍ର ସ୍ଥାନର ଶୁଚିତା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ସାଧାରଣ ଧାର୍ମିକ ହୋମ ଏବଂ ସଫେଇ କାର୍ଯ୍ୟ କରାଯାଇଥିଲା। ଏହା ସହିତ ମଲ୍ଲିକାର୍ଜୁନ ଖଡ୍ଗେ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଜାତିର କୌଣସି ସମ୍ପର୍କ ନଥିଲା।
କିନ୍ତୁ ରାହୁଲ ଗାନ୍ଧୀ ଏହାକୁ ଜାତିଗତ ଆଖ୍ୟା ଦେଇ ହିନ୍ଦୁ ସମାଜରେ ଭ୍ରାନ୍ତି ସୃଷ୍ଟି କରିବା ସହ ତାଙ୍କ ଭଳି ବାଲ୍ମୀକି ସମ୍ପ୍ରଦାୟର ଲୋକଙ୍କୁ ଅସମ୍ମାନିତ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ଘଟଣାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ SC/ST ଆକ୍ଟ ଏବଂ ଅନ୍ୟାନ୍ୟ କଠୋର ଧାରାରେ FIR ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।
ରାହୁଲ ଗାନ୍ଧୀ ଆଣିଥିଲେ ଗୁରୁତର ଅଭିଯୋଗ
ଏହାପୂର୍ବରୁ ରାହୁଲ ଗାନ୍ଧୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଓ RSS ଉପରେ ବର୍ଷିଥିଲେ। ଖଡ୍ଗେଙ୍କ ରାଲି ପରେ ମଞ୍ଚକୁ ଶୁଦ୍ଧିକରଣ କରାଯିବା ପ୍ରସଙ୍ଗକୁ ନେଇ ସେ କହିଥିଲେ, "ଶୁଦ୍ଧିକରଣ ହେଉଛି ଅସ୍ପୃଶ୍ୟତାର ଅନ୍ୟ ଏକ ରୂପ। କଂଗ୍ରେସ ସଭାପତି ଜଣେ ଦଳିତ ନେତା ହୋଇଥିବାରୁ ଏଭଳି କରାଯାଇଛି, ଯାହା ସମ୍ବିଧାନ ଏବଂ SC/ST ଆକ୍ଟ ଅନୁଯାୟୀ ଏକ ଅପରାଧ।" ଏହି ଘଟଣାରେ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ସରକାର ତୁରନ୍ତ FIR ରୁଜୁ କରନ୍ତୁ ବୋଲି ରାହୁଲ ଦାବି କରିଥିଲେ।
ପୋଲିସର ପ୍ରତିକ୍ରିୟା
ନୈନିତାଲ ପୋଲିସ ସୂଚନା ଦେଇଛି ଯେ, ଶ୍ରୀରାମ ସେନା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗପତ୍ର ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ ହୋଇନାହିଁ। ପୋଲିସ ଆଇନଗତ ଆଧାରରେ ଅଭିଯୋଗପତ୍ରର ତଦନ୍ତ ଓ ଯାଞ୍ଚ କରୁଛି।