ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବିଜେପି ନେତା ନିରଞ୍ଜନ ପ୍ରଧାନଙ୍କ ଦେହାନ୍ତ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା । ଶ୍ରୀଯୁକ୍ତ ପ୍ରଧାନ ଦୀର୍ଘଦିନ ଧରି ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଥିଲେ ।
ଗଞ୍ଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମରେ ନିରଞ୍ଜନ ପ୍ରଧାନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବାଳି ପ୍ରଧାନ ଏବଂ ମାତାଙ୍କ ନାମ ଧର୍ମୀ ଦେବୀ । ୧୯୬୭ ମସିହାରେ ନର୍ମଦା ପ୍ରଧାନଙ୍କୁ ବିବାହ କରିଥିଲେ । ସେ ନିଜର ରାଜନୈତିକ ଜୀବନ ୧୯୭୯ ମସିହାରୁ ଆରମ୍ଭ କରିଥିଲେ । ନିରଞ୍ଜନ ୧୯୫୭ ମସିହାରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ଆସିକା ଟେକ୍ନିକାଲ୍ ହାଇସ୍କୁଲ ଓ ପୋଲସରା ଗୋପବନ୍ଧୁ ହାଇସ୍କୁଲ୍ରେ ଶିକ୍ଷା ଶେଷ କରିଥିଲେ । ସେ ସରପଞ୍ଚ ଏବଂ ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରେରଣାରେ ୧୯୮୦ ମସିହାରେ ଘୋଡ଼ାପଲାଣରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ପୋଲସରା ବ୍ଲକ୍ ଅଧ୍ୟକ୍ଷ ଦାୟିତ୍ଵ ନିର୍ବାହ କରିଥିଲେ । ୧୯୯୫ ମସିହାରେ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ କୋଦଳା ନିର୍ବାଚନମଣ୍ଡଳୀରୁ ସେ ରାମକୃଷ୍ଣଙ୍କ ବିପକ୍ଷରେ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ ।
ଏହା ପରେ ସେ ବିଜେଡିରୁ ଟିକେଟ୍ ପାଇ ୨୦୦୪ ଓ ୨୦୦୯ରେ ବିଧାୟକ ହୋଇଥିଲେ । ୨୦୦୪ରେ କୋଦଳାରୁ ନିର୍ବାଚନ ଲଢ଼ି ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୦୯ରେ ସେ ପୋଲସରାରୁ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ । କିନ୍ତୁ ୨୦୧୯ ନିର୍ବାଚନ ସମୟରେ ଟିକେଟ୍ ନ ମିଳିବାରୁ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
ଆଜି ବିଧାନସଭାକୁ ତାଙ୍କ ପାର୍ଥୀବ ଶରୀରକୁ ନିଆଯିବ । ସେଠାରେ ବହୁ ମାନ୍ୟ ଗଣ୍ୟ ନେତା ତାଙ୍କର ଶେଷ ଦର୍ଶନ କରିବେ । ଏହା ପରେ ତାଙ୍କୁ ତାଙ୍କର ପୈତୃକ ଗ୍ରାମ ଘୋଡ଼ାପାଳନାକୁ ନିଆଯାଇ ସେଠାରେ ଶେଷ କୃତ୍ୟ କରିବାର କାର୍ଯ୍ୟକ୍ରମ ରହିଛି ।