ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ)ର ବଡ଼ ବଡ଼ ନେତାଙ୍କ ସମସ୍ୟା ବଢ଼ିବାକୁ ଯାଉଛି । ପ୍ରାୟ ୬୦୦୦ ହଜାର କୋଟିର ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୩-୩ଟି ମାମଲାରେ ତଦନ୍ତ ଆରମ୍ଭ କରିଛି ।
କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ୍ ରିପୋର୍ଟ (ECIR) ଦାଖଲ କରିଛି ଯେ, ଦିଲ୍ଲୀରେ ଆପ୍ ସରକାର ଥିବାବେଳେ ହସ୍ପିଟାଲ, ଆଶ୍ରୟସ୍ଥଳ ନିର୍ମାଣ ଏବଂ ସିସିଟିଭି ଲଗାଇବାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଇଡି ପକ୍ଷରୁ ମାମଲା ରୁଜୁ ହୋଇଛି । ଏଥିରେ ପ୍ରାୟ 6368 କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଇଡି ଆଗାମୀ ଦିନରେ ଖୁବ ଶୀଘ୍ର ଆପ୍ ନେତାମାନଙ୍କୁ ଜେରା ପାଇଁ ସମନ ଜାରି କରିପାରେ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ସତ୍ୟେନ୍ଦ୍ର ଜୈନ ଜେରାର ସମ୍ମୁଖୀନ ହୋଇପାରନ୍ତି । ପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କୁ ଅନ୍ୟ ଏକ ମନି ଲଣ୍ଡରିଂ ମାମଲାରେ ଦୀର୍ଘ ଦିନ ଜେଲରେ ରହିବାକୁ ପଡିଥିଲା । ବର୍ତ୍ତମାନ ସେ ଜାମିନରେ ଅଛନ୍ତି।
ଇଡି ଅନୁଯାୟୀ, ୨୦୧୮-୧୯ରେ ଆପ ସରକାର ୨୪ଟି ହସ୍ପିଟାଲର ପ୍ରକଳ୍ପକୁ ଅନୁମୋଦନ କରିଥିଲେ, ଯେଉଁଥିରେ ଆଇସିୟୁ ହସ୍ପିଟାଲଗୁଡ଼ିକ ଛଅ ମାସରେ ନିର୍ମାଣ କରାଯିବାର ଥିଲା । କିନ୍ତୁ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ କେବଳ ୫୦ ପ୍ରତିଶତ କାମ ହୋଇଛି। ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି ଯେ ଦିଲ୍ଲୀ ସରକାରଙ୍କ ଲୋକନାୟକ ହସ୍ପିଟାଲର ନିର୍ମାଣ ମୂଲ୍ୟ ଆନୁମାନିକ ୪୮୮ କୋଟିରୁ ବୃଦ୍ଧି ପାଇ ୧୧୩୫ କୋଟି ହୋଇଛି । ଇଡି ଅଭିଯୋଗ କରିଛି ଯେ ଉପଯୁକ୍ତ ଅନୁମୋଦନ ବିନା ଅନେକ ହସ୍ପିଟାଲର ନିର୍ମାଣ ଆରମ୍ଭ କରାଯାଇଥିଲା । ୫୫୯୦ କୋଟି ଟଙ୍କାର ହସ୍ପିଟାଲ ଦୁର୍ନୀତିରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ସୌରଭ ଭରଦ୍ୱାଜଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି ।