ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜଣକ ପରେ ଜଣେ ବିଜେପି ନେତା କଡ଼ା ସମାଲୋଚନା କରିଛନ୍ତି । ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ନବୀନଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ନବୀନ ପଟ୍ଟନାୟକ ବାବୁ, ଆପଣ କୁହନ୍ତୁ ବେଇମାନ କିଏ ? ଏଭଳି ପ୍ରଶ୍ନ କରିଛନ୍ତି ଅନିଲ ।
ବିଜେପି ମୁଖପାତ୍ର ସାମାଜିକ ଗଣମାଧ୍ୟମରେ ନବୀନ ବିଜେପିକୁ କହିଥିବା ବେଇମାନ ପ୍ରସଙ୍ଗରେ ଅନେକ ପ୍ରଶ୍ନ ଛାଡ଼ିଛନ୍ତି । ଅନିଲ କହିଛନ୍ତି ଆପଣଙ୍କୁ ଲୋକେ ୨୪ ବର୍ଷ କାଳ ବହୁତ ସମର୍ଥନ, ଆଶୀର୍ବାଦ, ଭରସା କରିଲେ l କିନ୍ତୁ ପ୍ରତିବଦଳରେ ପାଇଲେ କଣ ? ଆପଣ ଲୋକଙ୍କ ସହିତ ମିଶିଲେ ନାହିଁ କି ସାଧାରଣ ଓଡ଼ିଆ ଲୋକେ ଆପଣଙ୍କୁ ଭେଟିପାରିଲେ ନାହିଁ l ଓଡ଼ିଆ ଭାଷା ଆପଣ ଶିଖିଲେ ନାହିଁ l ରାଜନୀତିରେ ଅଣଓଡ଼ିଆଙ୍କ ହାକିମାତିର ବ୍ୟବସ୍ଥା କରିଲେ l ଏହା ଓଡ଼ିଆ ଲୋକଙ୍କ ପ୍ରତି ବେଇମାନ ନୁହେଁ କି ?
ସେହିପରି ଅନିଲ ଆହୁରି ପ୍ରଶ୍ନ କରିଛନ୍ତି, ୨୪ ବର୍ଷରେ ଗୋଟିଏ ବି ଶୀତଳ ଭଣ୍ଡାର ହୋଇପାରିଲା ନାହିଁ, ମହାନଦୀରେ ଗୋଟେ ବି ବନ୍ଧ ହୋଇପାରିଲା ନାହିଁ, ସବୁ କୃଷି ଭିତ୍ତିକ ଶିଳ୍ପ ବନ୍ଦ ହୋଇଗଲା, ଓଡ଼ିଆ ବ୍ୟବସାୟୀ ମରିଗଲେ l ଏହା ବେଇମାନର ପରିଭାଷାରେ ଆସିବ କି ନାହିଁ ? ସେହିପରି ନୂଆପଡାର ବିଜେଡି ବିଧାୟକଙ୍କର ଦେହାନ୍ତ ହେଲା l ଆପଣଙ୍କ ଦଳ ପାଇଁ ବହୁତ କିଛି କରିଥିଲେ ସେ l କିନ୍ତୁ ତାଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଆପଣ ଗଲେ ନାହିଁ l ଓଲଟା ଆପଣଙ୍କ ଦଳର ନେତା ମାନେ ତାଙ୍କ ପରିବାର ପ୍ରତି ଅପଶବ୍ଦ ବ୍ୟବହାର କରିଲେ କିନ୍ତୁ ଆପଣ ଚୁପ ରହିଲେ l ଏହା କଣ ବେଇମାନି ନୁହେଁ କି?
ଖାଲି ସେତିକି ନୁହେଁ ଅନୀଲ ଅନେକ ପୂର୍ବତନ ବିଜେଡ଼ି ନେତାଙ୍କ ପ୍ରତି ହୋଇଥିବା ଅପମାନ ଓ ବିଶ୍ୱାସଘାତକତାର ଗୋଟି ଗୋଟି କରି ହିସାବ ମାଗିଛନ୍ତି । ଆପଣଙ୍କୁ ଯେଉଁମାନେ ରାଜନୀତିକୁ ଆଣିଥିଲେ ଯେମିତି ଦିଲୀପ ରାୟ, ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ରଙ୍କ ପ୍ରତି ଆପଣ ଯାହା କରିଥିଲେ ତାହାକୁ ବେଇମାନ କୁହାଯିବ ନା କୁହାଯିବ ନାହିଁ ? ନବୀନଙ୍କ ଏଭଳି ଅନେକ ପ୍ରଶ୍ନ ଛାଡ଼ିଛନ୍ତି ଅନିଲ ବିଶ୍ୱାଳ ।