ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟୀ ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ସୋମବାର ପ୍ରକାଶ ପାଇଥିବା ତାଲିକାରେ ୨୫ଟି ଆସନରେ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହାକୁ ମିଶାଇ ମୋଟ ୧୪୬ଟି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି ।
ଏହା ସହିତ ନାନ୍ଦେଡ଼ ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଦଳ ସଂତୁକ ମାରୋତରାବ ହମ୍ୱଡେଙ୍କୁ ମଇଦାନକୁ ଓହ୍ଲାଇଛି । କଂଗ୍ରେସ ସାଂସଦ ବସନ୍ତରାଓ ଚହ୍ୱାଣଙ୍କ ଅକାଳ ବିୟୋଗ ପରେ ଉକ୍ତ ଆସନ ଖାଲି ପଡ଼ିଥିଲା । କଂଗ୍ରେସ ଏଠାରେ ସ୍ୱର୍ଗତ ବସନ୍ତରାଓ ଚହ୍ୱାଣଙ୍କ ପୁଅ ରବୀନ୍ଦ୍ର ଚହ୍ୱାଣଙ୍କୁ ପ୍ରାର୍ଥୀ କରିଛି ।
ଆଜିର ତାଲିକାକୁ ମିଶାଇ ମେଣ୍ଟରେ ବର୍ତ୍ତମାନ ସୁଦ୍ଧା ୨୮୮ଟି ଆସନରୁ ୨୬୦ଟି ଆସନ ପାଇଁ ପ୍ରାର୍ଥୀ ଦେଇଛି । ଏହି ମେଣ୍ଟରେ ବିଜେପି, ଅଜିତ ପାୱାରଙ୍କ ଏନସିପି ଏବଂ ଏକନାଥ ସିନ୍ଦେଙ୍କ ଶିବସେନା ଦଳ ସାମିଲ ଅଛନ୍ତି । ବିଜେପି ପ୍ରଥମ ତାଲିକାରେ ୯୯ ଜଣ ଓ ଦ୍ୱିତୀୟ ତାଲିକାରେ ୨୨ ଜଣଙ୍କ ନାମ ଘୋଷଣା କରିଥିଲା । ସେହିପରି ଶିବସେନା ୬୫ ଏବଂ ଏନସିପି ୪୯ ଆଶାୟୀଙ୍କ ନାମ ଘୋଷଣା କରାଯାଇଛି ।
ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବ ସେନା ମୁଖ୍ୟ ଏକନାଥ ସିନ୍ଦେ ସୋମବାର ନିଜର ନାମାଙ୍କନ ପତ୍ର ଭରିଛନ୍ତି । ଥାଣେ ଜିଲ୍ଲାର କୋପରୀ-ପଚପଖାଡ଼ୀ ବିଧାନସଭାରୁ ପ୍ରାର୍ଥୀ ହୋଇଛନ୍ତି ଏକନାଥ । ତାଙ୍କ ବିପକ୍ଷରେ ରହିଛନ୍ତି କେଦାର ଦିଘେ । ତେବେ ମଙ୍ଗଳବାର ଅର୍ଥାତ ଆସନ୍ତାକାଲି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିଛି ।
ସେହିପରି ମହା ବିକାଶ ଅଘାଡ଼ୀ ଦଳ ଏଯାବତ ୨୫୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ୨୯ ସିଟ୍ ଏବେବି ବାକି ରହିଛି । ଉଦ୍ଧବ ଠାକରେଙ୍କ ଶିବସେନା ୮୪, କଂଗ୍ରେସ ୯୯ ଏବଂ ଏନସିପିଏସପି ୭୬ ନାମ ଘୋଷଣା କରିସାରିଲେଣି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ମତଦାନ ହେବାକୁ ଥିବାବେଳେ ନଭେମ୍ବର ୨୩ରେ ମତ ଗଣନା କରାଯିବ । ଏହା ପୂର୍ବରୁ ଅକ୍ଟୋବର ୨୨ରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୯ରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଏବଂ ଅକ୍ଟୋବର ୩୦ରେ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହେବ । ନଭେମ୍ବର ୪ରେ ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରି ପାରିବେ ।
ମହାରାଷ୍ଟ୍ରରେ ୩୬ଟି ଜିଲ୍ଲାରେ ୨୮୮ଟି ବିଧାନସଭା ଆସନ ରହିଛି । ସେଥି ମଧ୍ୟରୁ ଏସଟି ପାଇଁ ୨୫ ଓ ଏସସି ପାଇଁ ୨୯ଟି ଆସନ ରହିଛି । ୧ ଲକ୍ଷ ୧୮୬ଟି ମତଦାନ କେନ୍ଦ୍ରରେ ମତଦାନ କରାଯିବ । ଚଳିତ ବର୍ଷ ଏଠାରେ ୯.୬୩ କୋଟି ମତଦାତା ଏହି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ ।