ଭୁବନେଶ୍ୱର: ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ଦଳୀୟ ପଦ ଯାତ୍ରାରେ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବିଜେପି ମିଥ୍ୟାର ଆରୋପ ନେଇ ନିର୍ବାଚନ ଜିତିଛି ବୋଲି କହିଛନ୍ତି ନବୀନ । ଯାହାର କଡ଼ା ଜବାବ ରଖିଛି ବିଜେପି । ମାତ୍ର ୧୦୦ ଦିନର ସରକାର ଉପରେ ନବୀନ ଯେଉଁ ଆରୋପ ଲଗାଉଛନ୍ତି , ସେ ନିଜର ୨୪ ବର୍ଷର କଥା ଭୁଲି ଯାଉଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।
ଚଳିତ ନିର୍ବାଚନରେ ବିଜେଡ଼ି ଯେଉଁଭଳି ଭାବେ ପରାଜୟ ହେଲା, ଏହା ପରେ ଦଳ ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା ଆରମ୍ଭ କରିଛି । ପୁଣିଥରେ ଲୋକଙ୍କ ପାଖରେ ପହଁଚିବାକୁ ଆଜିଠାରୁ ବିଜେଡ଼ି ପଦଯାତ୍ରା ଆରମ୍ଭ କରିଛି । ଏକାମ୍ର ନିର୍ବାଚନ ମଣ୍ଡଳୀର ବଡଗଡ ନେତାଜୀ ଖେଳପଡିଆ ଠାରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ଏହି ଅବସରରେ ସେ ବିଜେପିକୁ ଟାର୍ଗେଟ୍ କରିଥିବା ଦେଖିବାକୁ ମିଳିଛି । ନବୀନ କହିଛନ୍ତି ଯେ ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି, ସେମାନେ ବିଏସକେଓ୍ବାଇ ନାଁ ବଦଳାଇଛନ୍ତି, ଲୋକ ସବୁ ଜାଣନ୍ତି, ଆପଣ ନାଁ ଆଉ ରଙ୍ଗ ବଦଳାଇ ପାରନ୍ତି କିନ୍ତୁ ଇତିହାସ ବଦଳାଇ ପାରିବେନି । ମିଛ କହି ନିର୍ବାଚନ ଜିତିପାରନ୍ତି କିନ୍ତୁ ଲୋକଙ୍କ ହୃଦୟ କେବେ ହେଲେ ଜିତି ପାରିବେନି ବୋଲି କହିଛନ୍ତି ନବୀନ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ କ୍ଷମତାରେ ଥାଏ ବା ନ ଥାଏ କିନ୍ତୁ ଲୋକଙ୍କ ସେବା ଜାରି ରହିବ । ବିଜେଡି ଆଜି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ସେବା , ସ୍ଵାଭିମାନ ଓ ବିକାଶ ହେଉଛି ବିଜେଡିର ପରିଚୟ ବୋଲି କହିଛନ୍ତି ନବୀନ।
ତେବେ ନବୀନଙ୍କୁ କାଉଣ୍ଚର ଆଟାକ୍ କରିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ନବୀନ ମିଥ୍ୟାର ସାହାରା ନେଉଛନ୍ତି, ଯାହାକି ଅତ୍ୟନ୍ତ ଲଜ୍ଜାଜନକ । ମାତ୍ର ୧୦୦ ଦିନର ସରକାର ଉପରେ ନବୀନ ଯେଉଁ ଆରୋପ ଲଗାଉଛନ୍ତି, ସେ ନିଜର ୨୪ ବର୍ଷର କଥା ଭୁଲି ଯାଉଛନ୍ତି । ନୂଆ ସରକାର ବିକାଶ ଗ୍ରହଣ କରନ୍ତୁ, ଅସହିଷ୍ଣୁ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି । ଗରିବୀ ହଟାଇବା କଥା କହୁଥିବା ନବୀନ ଓଡ଼ିଶାକୁ ଗରିବୀରେ ୧-୨ ସ୍ଥାନରେ ରଖିଦେଇଛନ୍ତି । ଯାହାକି ୨୦୦୦ ମସିହାରେ ଓଡ଼ିଶା ୬ ନମ୍ବରରେ ଥିଲା । ଗୋପବନ୍ଧୁଙ୍କ ନାଁରେ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହିତ ଆୟୁଷ୍ମାନ ଭାରତ ଯୋଜନାକୁ ଯୋଡ଼ା ଯାଇଛି । ୨୪ ବର୍ଷର ବିଜେଡ଼ି ସରକାର ମହିଳାମାନଙ୍କୁ ଗୋଟାଏ ଟଙ୍କା ଦେଇ ନ ଥିବାବେଳେ ବିଜେପି ୫୦୦୦୦ ଟଙ୍କା ଦେଉଛି । ତେଣୁ ବିଜୁ ଜନତା ଦଳକୁ ଲଜ୍ଜା ଲାଗିବା ଦରକାର ବୋଲି ମନୋଜ ମହାପାତ୍ର କହିଛନ୍ତି ।