ଭୁବନେଶ୍ୱର: ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦାୟିତ୍ୱ ଗ୍ରହଣ କରି ସୋମବାର ଦିଲ୍ଲୀରୁ ଫେରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
ମନମୋହନ କହିଛନ୍ତି ଯେ ସାରା ଓଡ଼ିଶାର କାର୍ଯ୍ୟକର୍ତ୍ତା ଅଖଣ୍ଡ ପରିଶ୍ରମ କରୁଛନ୍ତି । ଆମେ କେବଳ ଦାୟିତ୍ୱରେ ରହିଛୁ । ଓଡ଼ିଶାର ବିକାଶ ଏବଂ ଓଡ଼ିଶାରେ ଥିବା ଅପାର ସମ୍ଭାବନାକୁ ପୁରା କରିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଅନ୍ୟାନ୍ୟ ଦଳର କାର୍ଯ୍ୟାକଳାପ ଲୋକେ ଦେଖୁଛନ୍ତି । ସେଥିପାଇଁ ବିଜେପିର ୨୨ ମାସ କାର୍ଯ୍ୟ ଏବଂ କେନ୍ଦ୍ରର ୧୨ ବର୍ଷର ସରକାରର କାର୍ଯ୍ୟ ଲୋକେ ଦେଖୁଛନ୍ତି ଓ ସମୀକ୍ଷା କରୁଛନ୍ତି । ସରକାର ଲୋକଙ୍କ ନିକଟରେ ପହଁଚୁଛି ଏବଂ ବିଜେପି ଯାହା ସଂକଳ୍ପ କରୁଛି ତାହା କରୁଛି । ସେଥିପାଇଁ ସମସ୍ତଙ୍କର ଆଗ୍ରହ ଦଳ ପ୍ରତି ବଢ଼ୁଛି ଏବଂ ବିଜେପି ଶକ୍ତିଶାଳୀ ହେଉଛି ବୋଲି ମନମୋହନ କହୁଛନ୍ତି ।
ସେହିପରି ମନମୋହନ ବିଜେଡ଼ିରୁ ନିଲମ୍ବିତ ମଣ୍ଡଳ ଦମ୍ପତ୍ତିଙ୍କ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା ବିଜେଡ଼ିର ଆଭ୍ୟନ୍ତରୀଣ ବ୍ୟାପାର । ଏହି ପ୍ରସଙ୍ଗରେ କିଛି କହିବାକୁ ଉଚିତ ମନେ କରିନଥିଲେ । ବିଜେପିରେ ମିଶିବା ନେଇ ତାଙ୍କ ସହିତ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇନାହିଁ । ମଣ୍ଡଳ ଦମ୍ପତି ବିଜେପିରେ ମିଶିବେ କି ନାହିଁ ତାହା ଭବିଷ୍ୟତରେ ହିଁ ଜଣାପଡିବ । ଯେଉଁମାନ ଆମ ଦଳରେ ମିଶିବା ପାଇଁ ଇଚ୍ଛା ପ୍ରକାଶ କରିବେ । ସେମାନଙ୍କୁ ଆମେ ସ୍ୱାଗତ କରିବୁ ବୋଲି ମନମୋହନ କହିଛନ୍ତି ।