ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ସଭିଙ୍କ ନଜର ରାଜ୍ୟର ସବୁଠୁ ହଟ୍ ସିଟ୍ ଜୁଲାନା ଉପରେ ରହିଛି । କାରଣ ଏଠାରେ ଅଲିମ୍ପିଆନ ତଥା କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗାଟ୍ ମଇଦାନରେ ଅଛନ୍ତି । ଏହି ଆସନରେ ପାଖାପାଖି ୭୫ ପ୍ରତିଶତ ମତଦାନ ହୋଇଥିଲା । ଯୋଗେଶ ବୈରାଗୀଙ୍କୁ ବିଜେପି ଏଠାରେ ପ୍ରାର୍ଥୀ କରିଛି । ଗତ ଥର କଂଗ୍ରେସର ଅମରଜିତ ବିଜେପି ପ୍ରାର୍ଥୀଙ୍କୁ ହରାଇ ନିର୍ବାଚନ ଜିତିଥିଲେ । ଏଥର ଏହି ସିଟରେ ବମ୍ପର ଭୋଟିଂ ହୋଇଛି ।
ଜୁଲାନା ସିଟରେ ୧୨ ରାଉଣ୍ଡର ଗଣତି ପୂରା ହୋଇ ସାରିଛି । କଂଗ୍ରେସର ଭିନେଶ ଫୋଗାଟ ୪,୬୮୪ ଖଣ୍ଡ ଭୋଟରେ ଅଗ୍ରଣୀ ହାସଲ କରିଛନ୍ତି । ତାଙ୍କୁ ଏ ପର୍ଯ୍ୟନ୍ତ ୫୪ ହଜାର ୫୨୮ ଭୋଟ୍ ମିଳିଥିବା ବେଳେ ବିଜେପିର ଯୋଗେଶ କୁମାରଙ୍କୁ ୪୯ ହଜାର ୮୪୪ ଭୋଟ୍ ମିଳିଛି । ଏବେ ଆଉ କେବଳ ୩ ରାଉଣ୍ଡ ଭୋଟ୍ ଗଣତି ବାକି ରହିଛି ।
ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସରେ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ କାରଣରୁ ଫାଇନାଲ ଖେଳିବାରୁ ବଞ୍ଚିତ ହେବା ସହ ପଦକ ହରାଇଥିବା ଭିନେଶ ଫୋଗାଟ୍ ରାଜନୀତିରେ ନୂତନ ଇନିଂସ ଆରମ୍ଭ କରିଛନ୍ତି । ସେ କଂଗ୍ରେସ ମିଶି ହରିୟାଣା ବିଧାନସଭାର ମଇଦାନରେ ଅଛନ୍ତି । ବିଜେପି ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସେ ବେଶ ପରିଚିତ । ମହିଳା ରେସଲରଙ୍କ ସହ ଦୁର୍ବ୍ୟବହାର ଓ ଯୌନ ଉତ୍ପୀଡନ ମାମଲାରେ ସେ ବିଜେପିର ସାଂସଦ ତଥା ପୂର୍ବତନ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନରେ ଭିନେଶ ବେଶ ମୁଖର ଥିଲେ ।