ଚଣ୍ଡିଗଡ଼: ହରିୟାଣାରେ ବିଜେପି କଂଗ୍ରେସକୁ ମାତ୍ ଦେଇ ହ୍ୟାଟ୍ରିକ ବିଜୟ ହାସଲ କରିବା ସହ ସରକାର ଗଠନ କରିବାକୁ ଯାଉଛି । ନୂତନ ସରକାର ଗଠନ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଶନିବାର ଦଶହରା ଦିନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ଦଳୀୟ ସୂତ୍ରରୁ ପ୍ରକାଶ । ତେବେ ଏହା ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ ବସିବ । ଏଥିରେ ବିଧାୟକ ଦଳ ନେତା ଚୟନ କରାଯିବ। ତେବେ ପାର୍ଟି ହାଇକମାଣ୍ଡଙ୍କ ପକ୍ଷରୁ ନାଏବ ସିଂ ସୈନୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ସବୁଜ ସଙ୍କେତ ମିଳି ସାରିଛି। କିନ୍ତୁ ପ୍ରକ୍ରିୟା ଅନୁସାରେ ପୁଣି ଥରେ ବିଧାୟକ ଦଳ ନେତା ଚୟନ କରାଯିବ ବୋଲି ଦଳ ପକ୍ଷରୁ ପ୍ରକାଶ ।
ଉଙ୍ଗଳବାର ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ବିଜେପି ସମସ୍ତ ଏକଜିଟ ପୋଲର ଆକଳନକୁ ଭୁଲ୍ ପ୍ରମାଣିତ କରି ୪୯ ସିଟ୍ ସହ ସରକାର ଗଠନ କରିବାକୁ ଯାଉଛି । ନୂଆ ସରକାରରେ ମନ୍ତ୍ରିମଣ୍ଡଳ ପାଇଁ ବିଧାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇ ଯାଇଛି। ମଙ୍ଗଳବାର ନିର୍ବାଚନ ଫଳାଫଳ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତର୍ୀ ମନୋହର ଲାଲ ଖଟ୍ଟରଙ୍କ ଦିଲ୍ଲୀ ବାସଭବନରେ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି। ମନ୍ତ୍ରୀ ପଦ କେମିତି ମିଳିବ ତାକୁ ନେଇ ବିଜୟୀ ବିଧାୟକଙ୍କ ମହଲରେ ଅଙ୍କକଷା ଚାଲିଛି ।
ଅନ୍ୟପଟେ ବିଜେପି ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସହ ପ୍ରଭାରୀ ବିପ୍ଳଦ ଦେବ ମନୋହର ଲାଲ ଖଟ୍ଟରଙ୍କ ସହ ଆଲୋଚନା କରି ସରକାର ଗଠନ ଏବଂ ଆଗାମୀ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ବୈଠକରେ ମନ୍ତ୍ରୀଙ୍କ ନାମ ସହିତ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।
ନୂଆ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ବରିଷ୍ଠତା ଆଧାରରେ ପୂର୍ବତନ ଗୃହ ସଚିବ ଅନିଲ ବିଜ ଓ ଜଣେ ବ୍ରାହ୍ମଣ ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ବିଜେପି ଶୀର୍ଷ ନେତୃତ୍ୱ ଅନିଲ ବିଜଙ୍କ ପରି ବରିଷ୍ଠ ନେତାଙ୍କୁ ଉଚିତ୍ ସମ୍ମାନ ଦେବାକୁ ଚାହୁଁଛନ୍ତି। ତେଣୁ ପାର୍ଟି ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦାୟିତ୍ୱ ଦିଆଯାଇପାରେ ।